ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଲା କିନ୍ନରଙ୍କ ପାଇଁ ଚିଠା ପଲିସି । ବିଭିନ୍ନ ବିଭାଗର ମତାମତ ସଂଗ୍ରହ ପରେ ପ୍ରଥମ ଥର ପାଇଁ ରାଜ୍ୟରେ କାର୍ୟ୍ୟକାରୀ ହେବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି । କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ। ଖୁବଶୀଘ୍ର ଗଠନ କରାଯିବ କିନ୍ନର ମଙ୍ଗଳ ବୋର୍ଡ । ଯାହାକୁ ନେଇ କିନ୍ନରଙ୍କ ମହଲରେ ଖୁସିର ଲହରୀ ।
ଖୁବଶୀଘ୍ର ଆସିବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି । ସରକାରୀ ଭାବେ ଜାରି ହେଲା ଚିଠା ପ୍ରସ୍ତାବ । ରାଜ୍ୟରେ ଗଠିତ ହେବ କିନ୍ନର ମଙ୍ଗଳ ବୋର୍ଡ । ସମାଜରେ ବଦଳିବ କିନ୍ନରଙ୍କ ପ୍ରତି ଦୃଷ୍ଟିଭଙ୍ଗୀ । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୨୨ ହଜାରରୁ ଅଧିକ କିନ୍ନର ପଞ୍ଜିକୃତ ହୋଇଛନ୍ତି । ତେବେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ । ୨୦୧୪ରେ ସର୍ବୋଚ୍ଚ ନ୍ୟାୟଳୟ ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ । ୨୦୧୯ରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ଆଇନ୍ କରିବା ସହ ସମସ୍ତ ରାଜ୍ୟକୁ ନିଜ ନିଜ ପଲିସି ପ୍ରଣୟନ କରିବାକୁ କହିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ କିନ୍ନରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଚିଠା ପଲିସି ଚୂଡ଼ାନ୍ତ ହେବା ପରେ ସମାଜରେ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୋଇପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏନେଇ ବିଭିନ୍ନ ବିଭାଗର ମତାମତ ସଂଗ୍ରହ କରାଯାଉଛି । ସ୍ୱତନ୍ତ୍ର ମଙ୍ଗଳ ବୋର୍ଡ ଗଠନ ସହ ସେମାନଙ୍କର ବିଭିନ୍ନ ଦାବିକୁ ଏଥିରେ ସାମିଲ୍ କରାଯିବ ।
Powered by Froala Editor
