ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଯାଇଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଭଳି ଘଟଣାରେ ଗିରଫ ଆଶିଷଙ୍କ ଦ୍ୱିତୀୟ ଜାମିନ ଆବେଦନକୁ ଶୁକ୍ରବାର ଜିଲ୍ଲା କୋର୍ଟ ଖାରଜ କରି ଦେଇଛନ୍ତି। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ମୋନା ସିଂହଙ୍କ ଆଗରେ ଆଶିଷ ମିଶ୍ରା ଶୁକ୍ରବାର ଦ୍ୱିତୀୟ ଜାମିନ ଆବେଦନ କରିଥିଲେ। ଆଶିଷଙ୍କ ଓକିଲ ଅୱଦେଶ ସିଂହ ଜାମିନ ପାଇଁ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ଏହାକୁ ମାଜିଷ୍ଟ୍ରେଟ ମୋନା ସିଂହ ଅଗ୍ରାହ୍ୟ କରିଦେଇଥିବା ଏସ୍ପିଓ ଏସ୍ପି ଯାଦବ ସୂଚନା ଦେଇଛନ୍ତି।
ଘଟଣାର ଗମ୍ଭୀରତାକୁ ହୃଦୟଙ୍ଗମ କରି କୋର୍ଟ ଜାମିନ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ଜାମିନ ପ୍ରଦାନ ପାଇଁ ଉପଯୁକ୍ତ କାରଣ ଆବେଦନକାରୀ ଉପସ୍ଥାପନ କରିପାରି ନାହାନ୍ତି। ତେଣୁ ଜାମିନ ଆବେଦନକୁ ଖାରଜ କରାଯାଉଛି। ଡିସେମ୍ବର ୧୪ରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଏସଜେଏମ) ଘଟଣାର ତଦନ୍ତ କରୁଥିବା ଏସ୍ଆଇଟିକୁ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅନ୍ୟ କଠୋର ଦଫା ଲଗାଇବାକୁ ହୋଇଥିବା ଆବେଦନକୁ ଅନୁମତି ଦେଇଥିଲେ।
ଏଥିସହ ଆର୍ମସ ଆକ୍ଟ ମଧ୍ୟ ଆଶିଷ ଓ ଅନ୍ୟ ୧୨ ଅଭିଯୁକ୍ତ ବିରୋଧରେ ଲାଗୁ କରିବାକୁ କୋର୍ଟ କହିଥିଲେ। କାରଣ ମୁଖ୍ୟ ଏଫଆଇଆର୍ରେ ଆର୍ମସ ଆକ୍ଟ ଲାଗୁ ହୋଇ ନଥିଲା। ଏସ୍ଆଇଟି ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବା ରିପୋର୍ଟ ଦେଇଛି।
ଏହାପରେ ଏସ୍ଆଇଟି ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ କଠୋର ଦଫା ଅଭିଯୁକ୍ତଙ୍କ ବିରୋଧରେ ଲାଗୁ କରିବାକୁ ଚାହୁଁଥିବା କୋର୍ଟଙ୍କୁ ଜଣାଇଥିଲା। ଏହାକୁ ଗ୍ରହଣ କରି କୋର୍ଟ ଏସ୍ଆଇଟିକୁ ଏଥିପାଇଁ ଅନୁମତି ଦେଇଥିଲେ। କୋର୍ଟଙ୍କ ଏପରି ପଦକ୍ଷେପ ପରେ ଆଶିଷ ମିଶ୍ରା ଦ୍ୱିତୀୟ ଜାମିନ ଆବେଦନ ଦାଖଲ କରିଥିଲେ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଫଳରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ସାମ୍ବାଦିକ ମଧ୍ୟ ଏହି ପୂରା ଘଟଣାରେ ଜୀବନ ହରାଇଥିଲେ।
Powered by Froala Editor
