ଭୁବନେଶ୍ୱର: ବିଧାନସୌଧର ରୂପରେଖ ବଦଳିବ। ହାଇଦ୍ରାବାଦ୍ ସ୍ଥିତ ହୁସେନସାଗର ଢାଞ୍ଚାରେ ବିଧାନସୌଧ ପରିସରରେ ବୃହତ୍ ବୁରୁଜ (ୱାଚ୍ ଟାୱାର) ନିର୍ମାଣ ହେବ ବୋଲି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ।
ଶ୍ରୀ ପାତ୍ରଙ୍କ ସୂଚନା ଅନୁଯାୟୀ ବୁରୁଜ ଉଚ୍ଚତା କେତେ ରହିପାରିବ ସେ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ଲୋଡା ଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ ତାଙ୍କର ମତାମତ ଦେଇଛନ୍ତି, ଏହାର ତର୍ଜମା ଚାଲିଛି। ଆସନ୍ତା ୨୦୨୨ ମାର୍ଚ୍ଚ ପୂର୍ବରୁ ଠିକାପ୍ରସ୍ତାବ (ଟେଣ୍ଡର) ପ୍ରକ୍ରିୟା ଶେଷ କରିବା ସହିତ ନିର୍ମାଣ କାର୍ୟ୍ୟ ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀ ପାତ୍ର କହିଛନ୍ତି ଯେ ସର୍ଦାର ବଲ୍ଲଭ ଭାଇ ପଟେଲ କକ୍ଷ ଗୌରବମୟ ଐତିହ୍ୟର ସୁରକ୍ଷା ସହ ଏହାର ଯଥାର୍ଥ ବିକାଶ କରାଯିବ। ବିଧାନସଭା ସଂଲଗ୍ନ ରାସ୍ତା ପାର୍ଶ୍ୱରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ପ୍ରତିମୂର୍ତ୍ତି ପାର୍ଶ୍ୱରେ ସେମାନଙ୍କ ଜୀବନୀ ଓ ସଂଗ୍ରାମର ବିବରଣୀ ରହିବ। ଚତୁଃପାର୍ଶ୍ୱରେ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ। ଏହାସହିତ ବିଧାନସଭାର ତିନୋଟି ପ୍ରବେଶ ଦ୍ୱାରର ଆଧୁନିକୀକରଣ କରାଯିବ। ଏହିସବୁ ପ୍ରବେଶଦ୍ବାରରେ ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜି ଶୋଭାପାଇବ। ଠିକ୍ ସେହିପରି ବିଧାନସଭା ଭିତରେ ଚାରିଟି ଏଲ୍.ଇ.ଡି., ଭିଡିଓ ୱାଲ ପ୍ରତିଷ୍ଠା କରାଯିବାକୁ ରହିଛି। ଯଦ୍ଦ୍ବାରା ଆଭାସି ମାଧ୍ୟମରେ ଗୃହେର ହେଉଥିବା ଆଲୋଚନା ଏବଂ ବିଧାନସଭା ସଦସ୍ୟଙ୍କୁ ସ୍ପଷ୍ଟ ଭାବେ ଆଗନ୍ତୁକମାନେ ଦେଖିପାରିବେ। ସୂଚନାଯୋଗ୍ୟ ଯେ ୧୯୬୧ ମସିହାରେ ଲୋକାର୍ପିତ େହାଇଥିବା ବିଧାନସୌଧ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା। ମାତ୍ର ନୂତନ ବିଧାନସଭା ନିର୍ମାଣ ହେବା ପରେ ବିଧାନସୌଧ ଅବହେଳିତ ହୋଇ ପଡିରହିଥିଲା। ଏହାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ପାଇଁ କେବଳ ଦୁଇ ଜଣ ସୁରକ୍ଷାକର୍ମୀ ଏଠାରେ ମୁତୟନ ହୋଇଛନ୍ତି। ଐତିହାସିକଙ୍କ କହିବା ଅନୁସାରେ ୧୯୪୬ ସେପ୍ଟେମ୍ବର ୩୦ରେ ଭୁବନେଶ୍ବରକୁ ରାଜଧାନୀ ଆସିବା ପାଇଁ ଡ. ହରେକୃଷ୍ଣ ମହତାବ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ୧୯୪୯ ଅେକ୍ଟାବର ୧୦ରେ ପୁରୁଣା ବିଧାନସୌଧରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।
Powered by Froala Editor
