ମୋଦିଙ୍କ ‌ ନିଷ୍ପତ୍ତିକୁ ରାହୁଲଙ୍କ ସ୍ବାଗତ

ମୋଦିଙ୍କ ‌ ନିଷ୍ପତ୍ତିକୁ ରାହୁଲଙ୍କ ସ୍ବାଗତ

ଜାତୀୟ ଖବର

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରାଯାଇଛି। ସମ୍ମୁଖ ଯୋଦ୍ଧା, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଟିକାର ବୁଷ୍ଟର ଡୋଜ୍ ଦିଆଯିବ। ଏ ସମ୍ପର୍କରେ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଥିସହ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କର ମଧ୍ୟ କରୋନା ବିରୋଧୀ ଟିକାକରଣ ଆରମ୍ଭ ହେବ।

କେନ୍ଦ୍ର ସରକାର ଓମିକ୍ରନକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ୱାଗତ କରିଛନ୍ତି। କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ପାଇଁ ସେ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ରାହୁଲ ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି।

ଟ୍ୱଟ ଯୋଗେ ରାହୁଲ କହିଛନ୍ତି, “କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ସମ୍ପର୍କରେ ମୋ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏହା ଠିକ୍ ପଦକ୍ଷେପ। ଦେଶର ପ୍ରତି ଲୋକଙ୍କ ପାଖରେ ସୁରକ୍ଷିତ ଟିକା ଓ ବୁଷ୍ଟର ଡୋଜ୍ ପହଞ୍ଚିବା ଦରକାର।”

ଡିସେମ୍ବର ୨୨ରେ ରାହୁଲ ଗାନ୍ଧି ଟ୍ୱିଟ କରି ବୁଷ୍ଟର ଡୋଜ୍ ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଥିଲେ। ସେ କହିଥିଲେ, ଦେଶର ଅଧିକାଂଶ ଲୋକଙ୍କର ଏଯାଏ ଟିକାକରଣ ହୋଇନି। ଭାରତ ସରକାର କେତେବେଳେ ବୁଷ୍ଟର ଡୋଜ୍ ଦେବେ?


ସୂଚନାଯୋଗ୍ୟ, ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିଥିଲେ। ଏହି ସମୟରେ ଦେଶରେ ଛୋଟ ପିଲାଙ୍କ ଟିକାକରଣ ସହ ଲୋକଙ୍କୁ ବୁଷ୍ଟର ବା ପ୍ରତିଷେଧକ ଟିକା ଦିଆଯିବ ବୋଲି କହିଥିଲେ। ମୋଦିଙ୍କ ଘୋଷଣା ଅନୁଯାୟୀ, ଜାନୁଆରୀ ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ପୀଡ଼ିତ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନେ ଟିକାର ବୁଷ୍ଟର ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ନେଇପାରିବେ। କରୋନାର ସମ୍ମୁଖଯୋଦ୍ଧାଙ୍କୁ ମଧ୍ୟ ଟିକାର ବୁଷ୍ଟର ଡୋଜ ଦିଆଯିବ। ଏହି ପ୍ରକ୍ରିୟା ମଧ୍ୟ ଜାନୁଆରୀ ୧୦ରୁ ଆରମ୍ଭ ହେବ।

Powered by Froala Editor