ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ଟିକେ କମ୍ ରହିଛି। ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ସହ ୩୦ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ସୂଚନା ଦିଆଯାଇଛି।
ସେହିଭଳି ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଅନ୍ୟପକ୍ଷରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ସକାଳେ କୋରାପୁଟ, ସୁନ୍ଦରଗଡ଼, ବଲାଙ୍ଗିର, କେନ୍ଦୁଝର, ଫୁଲବାଣୀ, ଭବାନୀପାଟଣା,ଗୋପାଲପୁର, ଭୁବନେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର ଓ ପାରାଳାଖେମୁଣ୍ଡିରେ କୁହୁଡି ଦେଖିବାକୁ ମିଳିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ କୋରାପୁଟ, ସୁନ୍ଦରଗଡ଼, ବଲାଙ୍ଗିର ଓ କେନ୍ଦୁଝରରେ ଘନ କୁହୁଡି ଦେଖିବାକୁ ମିଳିଥିଲା। କୋରାପୁଟ ଓ ସୁନ୍ଦରଗଡ଼ରେ ୫୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନଥିଲା। ସେହିପରି ବଲାଙ୍ଗିରରେ ୭୫ ଓ କେନ୍ଦୁଝରରେ ୧୫୦ ମିଟର ପରେ କିଛି ଦେଖାଯାଉ ନଥିଲା। ଫଳରେ ଗାଡ଼ିମୋଟର ଚଲାଇବାରେ ଅସୁବିଧା ସୃଷ୍ଟି ହୋଇଥିଲା।
Powered by Froala Editor
