କେନ୍ଦ୍ରାପଡ଼ା: ଯେଉଁ ହାତରେ ଲାଳନପାଳନ କରୁଥିଲେ, ସେଇ ହାତରେ ତଣ୍ଟି ଚିପି ହତ୍ୟା କଲା ମା। ପତିପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହରେ ବଳି ପଡ଼ିଗଲା ନିଷ୍ପାପ ଶିଶୁ।
ପାରିବାରିକ କଳହକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଘଟିଯାଇଛି ଏପରି ଅଭାବନୀୟ କାଣ୍ଡ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ବାପାମା’ଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, କାନପୁର ଗାଁର ଦମ୍ପତି ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ହେଲେ ଆର୍ଥିକ ଅନଟନକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଇତିମଧ୍ୟରେ ୨ ମାସ ପୂର୍ବେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ମଧ୍ୟ କଳହ ଥମିବା ନାଁ ଧରୁ ନ ଥିଲା। କଳହ ଉଗ୍ର ରୂପ ନେବାରୁ ମହିଳାଜଣକ ନିଜ ଶିଶୁ ପୁତ୍ରକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଏହାପରେ ୨ ଦିନ ପୂର୍ବେ ତାଙ୍କ ଭିଣୋଇ ଆଣି ଶାଶୁ ଘରେ ଛାଡ଼ି ଯାଇଥିଲେ।
ହେଲେ ଏହାପରେ ଗତ ରାତିରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ହିତାହିତ ଜ୍ଞାନ ଭୁଲି ମହିଳାଜଣକ ଶେଜରେ ଶୋଇଥିବା ନିଜ ୨ ମାସର ନିରୀହ ଶିଶୁକୁ ତଣ୍ଟି ଚିପି ମାରିଦେଇଥିଲେ। ଏହାପରେ ପରିବାର ଲୋକ ଜାଣିପାରିବେ ଭାବି ଅଖାରେ ପୂରାଇ ପଥର ବାନ୍ଧି ପଡ଼ୋଶୀ ଘର କୂଅକୁ ଫିଙ୍ଗିଦେଇଥିଲା।
ଏହାପରେ ଘରେ ଶିଶୁ ନ ଥିବା ଦେଖି ପରିବାର ଲୋକ ସକାଳେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ପଡ଼ୋଶୀଙ୍କ କୂଅରୁ ମୃତ ଶିଶୁକୁ ଉଦ୍ଧାର କରିଥିଲେ।
ପୁଅକୁ ମା’ ହତ୍ୟା କରିବା ସ୍ୱିକାର କରିଥିବା ବେଳେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ ।
Powered by Froala Editor
