ଦେଶରେ ତୃତୀୟ ଲହର, ଜାନୁଆରିରେ ହୋଇପାରେ ପିକ୍

ଦେଶରେ ତୃତୀୟ ଲହର, ଜାନୁଆରିରେ ହୋଇପାରେ ପିକ୍

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା କୁହାଯାଉଛି। ବିଶେଷ କରି ମେଟ୍ରୋ ସହରରେ ଓମିକ୍ରନ ଜନିତ ସଂକ୍ରମଣ ଯୋଗୁ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ଏହା ଡେଲ୍ଟା ଭାରିଏଣ୍ଟ ଭଳି ଘାତକ ହେଉ ନାହିଁ। କିନ୍ତୁ ଏହାର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଡେଲ୍ଟା ଭଳି ସ୍ଥିତି ସୃଷ୍ଟି କରିପାରେ।

ଏହାର ଅର୍ଥ ଡେଲ୍ଟା ଭାରିଏଣ୍ଟ ବେଳେ ଯେଉଁଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା, ଠିକ ଅନୁରୂପ ଭାବେ ଓମିକ୍ରନ ଭାରିଏଣ୍ଟ ସଂଖ୍ୟା ବୃଦ୍ଧି କରିବ। ଏପରି କି ସଂକ୍ରମିତଙ୍କ ସଂଖ୍ୟା ଡେଲ୍ଟା ତୁଳନାରେ ଓମିକ୍ରନ ବେଳେ ଅଧିକ ରହିପାରେ। ଜାନୁଆରୀ ମାସରେ ହିଁ ଓମିକ୍ରନ ଦେଶରେ ସର୍ବୋଚ୍ଚସ୍ତରରେ ପହଞ୍ଚିବ ବୋଲି ଆଇଏଚ୍ଏମର ନିର୍ଦ୍ଦେଶକ ଡା କ୍ରିଷ୍ଟୋଫର ମୁରାୟ କହିଛନ୍ତି।

ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ସରକାର କରୋନା ସଂକ୍ରମଣକୁ ବେଶ ଭଲ ଭାବେ ନିୟନ୍ତ୍ରଣ କରିଥିବା ଦାବି କରୁଛନ୍ତି। ହେଲେ ମଙ୍ଗଳବାର ଦୈନିକ ସଂକ୍ରମଣ ୫୦ ହଜାର ପାର କରିବା ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ସଂକ୍ରମଣ ବଢ଼ୁଥିବାରୁ ଡା କ୍ରିଷ୍ଟୋଫର କହିଛନ୍ତି, ଟିକାକରଣ ଦ୍ୱାରା ଓମିକ୍ରନରେ ସଂକ୍ରମିତ ହେବା ପରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି। ତଥାପି ଏହା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ।

ଜାନୁଆରୀ ମଧ୍ୟ ଭାଗରେ ହିଁ ଓମିକ୍ରନ ବିଶ୍ୱର ବିଭିନ୍ନ ସ୍ଥାନରେ ପିକରେ ପହଞ୍ଚିବ। ଏହାଦ୍ୱାରା ସମଗ୍ର ବିଶ୍ୱରେ ଦୈନିକ ୩୫ ମିଲିୟନ ଲୋକ ସଂକ୍ରମିତ ହୋଇପାରନ୍ତି। ଏହା ଏପ୍ରିଲ ମାସରେ ପିକ୍ରେ ପହଞ୍ଚିଥିବା ଡେଲ୍ଟା ଜନିତ ସଂକ୍ରମଣ ତୁଳନାରେ ୩ ଗୁଣ ଅଧିକ।

ଭାରତ କଥା ବିଚାରକୁ ନେଲେ, ଜାନୁଆରୀ ଶେଷ ଭାଗ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଓମିକ୍ରନ ତା’ର ସର୍ବୋଚ୍ଚ ଗତି ଦେଖାଇବ।

Powered by Froala Editor