ଦୁଇ ଦିନରେ ୮୪ ଲକ୍ଷରୁ ଅଧିକ ପିଲା ନେଲେ ଟିକା

ଦୁଇ ଦିନରେ ୮୪ ଲକ୍ଷରୁ ଅଧିକ ପିଲା ନେଲେ ଟିକା

ଜାତୀୟ ଖବର

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ଆରମ୍ଭ ହୋଇଥିବା ଛୋଟ ପିଲାମାନଙ୍କ ଟିକାକରଣ।  ପ୍ରଥମ ଦିନରେ ପ୍ରାୟ ୪୧ ଲକ୍ଷ ପିଲା କରୋନା ଟିକା ନେଇଥିବେ ବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ୪୩ ଲକ୍ଷ ପାର କରିଛି। ଏହାର ଅର୍ଥ ୨ ଦିନ ମଧ୍ୟରେ ୮୪.୪ ଲକ୍ଷ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କରୋନାର ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି।

ସରକାର ୧୫ରୁ ୨୦ ଦିନ ମଧ୍ୟରେ ଏହି ବର୍ଗରେ ଥିବା ୮୦ରୁ ୯୦% ପିଲାଙ୍କୁ ଟିକାର ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସମଗ୍ର ଦେଶରେ ପିଲମାନଙ୍କ ଟିକାକରଣ ଦ୍ରୁତଗତିରେ କରାଯାଉଛି। ସରକାରଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ଦେଶର ୭.୪ କୋଟି ପିଲାଙ୍କୁ ଟିକାର ପ୍ରଥମ ଡୋଜ ଦିଆଯିବ।

ସରକାର ଏହାପରେ ଅନ୍ୟ ବୟସ ବର୍ଗ ଅର୍ଥାତ ୧୫ରୁ କମ ବୟସ୍କଙ୍କ ଟିକାକରଣ ମଧ୍ୟ ଆରମ୍ଭ କରିବେ। ଏବେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଛି। ଖୁବଶୀଘ୍ର ଅନ୍ୟ କମ୍ପାନୀର ଟିକା ମଧ୍ୟ ଏହି ଅଭିଯାନରେ ସାମିଲ ହେବ। 

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୯୮.୯ ଲକ୍ଷ ଛୋଟ ପିଲା କରୋନା ଟିକା ପାଇଁ ପଞ୍ଜୀକରଣ କରିଛନ୍ତି। ଦୁଇ ଦିନ ମଧ୍ୟରେ ଗୁଜରାଟରେ ୧୧ ଲକ୍ଷ ଓ ମଧ୍ୟପ୍ରଦେଶରେ ୧୦ ଲକ୍ଷ ପିଲାଙ୍କୁ ଟିକାର ଡୋଜ୍ ଦିଆଯାଇ ସାରିଛି। ଏହି ଦୁଇ ରାଜ୍ୟ ବ୍ୟତୀତ ଆନ୍ଧ୍ର, ରାଜସ୍ଥାନ ଓ କର୍ଣ୍ଣାଟକାରେ ମଧ୍ୟ ଛୋଟ ପିଲାଙ୍କ ଟିକାକରଣ ହାର ଯଥେଷ୍ଟ ଅଧିକ ରହିଛି। ଉତ୍ତର ପ୍ରଦେଶରେ ୪.୫ ଲକ୍ଷ, ମହାରାଷ୍ଟ୍ରରେ ୪.୪ ଲକ୍ଷ ଓ ବିହାରେ ୪.୩ ଲକ୍ଷ ପିଲା ଟିକା ନେଇଛନ୍ତି।

ଦିଲ୍ଲୀରେ ଏହି ସଂଖ୍ୟା ୫୪,୨୫୦ ଥିବା ବେଳେ ପଶ୍ଚିମବଙ୍ଗରେ ପ୍ରାୟ ୨.୮ ଲକ୍ଷ ପିଲା ମଙ୍ଗଳବାର ରାତି ସୁଦ୍ଧା କରୋନା ବିରୋଧରେ ପ୍ରଥମ ଡୋଜ୍ ନେଇ ସାରିଛନ୍ତି।

Powered by Froala Editor