ଜାଣନ୍ତୁ ପ୍ରଧାନମନ୍ତ୍ରୀ ଫ୍ଲାଏ ଓଭର୍‌ରେ ଫସିବାର ପୂରା ଘଟଣାକ୍ରମ

ଜାଣନ୍ତୁ ପ୍ରଧାନମନ୍ତ୍ରୀ ଫ୍ଲାଏ ଓଭର୍‌ରେ ଫସିବାର ପୂରା ଘଟଣାକ୍ରମ

ଜାତୀୟ ଖବର

ନୂଆଦିଲ୍ଲୀ: ପଞ୍ଜାବରେ ଏକ କାର୍ୟ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଡ଼ି ଫ୍ଲାଏଓଭରରେ ଫସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫ୍ଲାଏଓଭର୍ରେ ତାଙ୍କ ଗାଡ଼ି ୨୦ ମିନିଟ୍ ଧରି ଫସି ରହିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୋଦି ଯେଉଁ ଫ୍ଲାଏଓଭର୍ ଦେଇ କାର୍ୟ୍ୟକ୍ରମ ସ୍ଥଳକୁ ଯିବାକୁ ଥିଲା, ସେହି ବାଟରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି କାରଣରୁ ରୋଡ ଜାମ ହୋଇଥିଲା। ତେଣୁ ମୋଦି ଫ୍ଲାଏଓଭର୍ରୁ ହିଁ ପୁଣି ବିମାନବନ୍ଦରକୁ ଫେରିଥିଲେ।

ଏହାକୁ ନେଇ ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ପୂରା ଘଟଣାରେ ପଞ୍ଜାବ ସରକାରଙ୍କ ଠାରୁ ଜବାବ ତଲବ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ବାହାରିଥିଲେ। ପାଗ ଖରାପ ଯୋଗୁ ହେଲିକପ୍ଟର ଟେକ୍‌ଅପ୍‌ କରିପାରିଲାନି। ଫଳରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଯିବାକୁ ସ୍ଥିର କଲେ।  

ଭାଟିଣ୍ଡାରୁ ଫିରୋଜପୁର ଦୂରତା ୧୪୦ କିଲୋମିଟର। ଏହି ରାସ୍ତାକୁ ସେ କାର୍ ଯୋଗେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁଇ ଘଣ୍ଟା ସମୟ ଲାଗିବା ବୋଲି ଜଣାପଡ଼ିଥିଲା। ଏ ବାବଦରେ ରାଜ୍ୟ ସରକାର ଓ ରାଜ୍ୟ ଡିଜିପିଙ୍କୁ ସୂଚନା ଦିଆଗଲା। ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍ରେ ଫସି ଯାଇଥିଲା। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ଅଧା ରାସ୍ତାରେ ଅଟକି ଥିଲା। ଫ୍ଲାଏଓଭର୍ରେ ମୋଦିଙ୍କ ଗାଡ଼ି ଅଟକି ରହିଥିବା ବେଳେ ଏହା ମଧ୍ୟରେ ମୋଦି ବସି ରହିଥିଲେ। ମୋଦିଙ୍କ କାର ସେଠାରେ ଥିବା ବେଳେ ତାଙ୍କ କାରକେଡରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ସୁରକ୍ଷା ଦୃଷ୍ଟିରୁ ଏହାକୁ ଘେରି ରହିଥିଲେ। ମୋଦିଙ୍କ କାର ନିକଟରେ କିଛି ହାତ ଗଣତି ଚାଷୀ ଛିଡ଼ା ହୋଇଥିଲେ ଓ ଅନ୍ୟମାନେ ରାସ୍ତାକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍ରେ ୧୫ରୁ ୨୦ ମିନିଟ୍ ରହିବା ପରେ ପଛକୁ ଫେରି ଭାଣ୍ଡିଆ ଏୟାରପୋର୍ଟରେ ପହଞ୍ଚିଥିଲା।  ପ୍ରଧାନମନ୍ତ୍ରୀଙ୍କ ପୂରା କାରକେଡ ୟୁ-ଟର୍ଣ୍ଣ ନେଲା ପରେ ଚାଷୀମାନେ ଏହା ସହ କିଛି ବାଟ ବିକ୍ଷୋଭ ପ୍ରଦର୍ଶନ କରି ଦୌଡ଼ିଥିଲେ।  


Powered by Froala Editor