ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। କରୋନା କଟକଣା ପାଇଁ ମକର ପାଳନ ମାନ୍ଦା ପଡ଼ିଛି। ଅନ୍ୟପକ୍ଷରେ ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଙ୍କ ଦିଅଁ ଦର୍ଶନ ବି ବନ୍ଦ ରହିଛି।
କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସ୍ଆରସି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ପର୍ୟ୍ୟଟକଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ବନ୍ଦ ରଖାଯାଇଛି।
ଆସନ୍ତା ୧୭ ତାରିଖ ପର୍ୟ୍ୟନ୍ତ ଗୋପାଳପୁର ଓ ଅନ୍ୟ ବେଳାଭୂମି ବନ୍ଦ ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମକର ସଂକ୍ରାନ୍ତି ଅବସରରେ ଚିଲିକାର ମା’ କାଳୀଜାଇଙ୍କ ପୀଠରେ ପ୍ରବଳ ଜନଗହଳି ହୋଇଥାଏ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜରି କରାଯାଇଥିବେଳେ , କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି ।
ସେହିପରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିର ପରିସରରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି । କେବଳ ଧାର୍ମିକ ଅନୁଷ୍ଠାନରେ ସର୍ବନିମ୍ନ ପୂଜକ, ସେବକଙ୍କୁ ନେଇ ନୀତିକାନ୍ତି ଆୟୋଜନ ପାଇଁ ଅନୁମତି ମିଳିଛି । ଲୋକମାନଙ୍କୁ ଘରେ ରହି ପୂଜା କିମ୍ବ ଅନ୍ୟାନ୍ୟ ଧାର୍ମିକ ରୀତିନୀତି କରିବାକୁ ପରାମର୍ଶ ଦିଆଯାଇଛି ।
Powered by Froala Editor
