ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ତାଙ୍କ ଶରୀରରେ ସଂକ୍ରମଣର ହାଲ୍କା ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେ ଆଇସିୟୁରେ ଅଛନ୍ତି। ଗୁରୁବାର ଦିନ ପାଇଁ ତାଙ୍କ ହେଲ୍ଥ ବୁଲେଟିନ୍ ଜାରି କରାଯାଇଛି। ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଦାନୀ କହିଛନ୍ତି, ବର୍ତ୍ତମାନ ଲତା ଆଇସିୟୁରେ ହିଁ ଅଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଗତ କାଲି ତୁଳନାରେ ତାଙ୍କ ଦେହ ଏବେ ଟିକେ ଭଲ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ଡାକ୍ତରଙ୍କ ମୁତାବକ, ଲତା ମଙ୍ଗେସକର ଏବେ କରୋନା ଓ ନିମୋନିଆ ଉଭୟ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତର ପରାମର୍ଶ ଦେଇଛନ୍ତି ଯେ ଏବେ ତାଙ୍କର ଯତ୍ନ ନେବା ଜରୁରୀ। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବନୁସାରେ, ସେ ଆଉ ୬-୭ ଦିନ ଅବଜରଭେସନ୍ରେ ରହିବେ।
ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକରଙ୍କ ଘରେ ଜଣେ ଚାକର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲତା ବି ନିଜ ପରୀକ୍ଷା କରାଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ଆସିଛି। ପୂର୍ବରୁ ନଭେମ୍ବର ୨୦୧୯ରେ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜିବାରୁ ଏହି ସୁର ସାମ୍ରାଜ୍ଞୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
Powered by Froala Editor
