ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ବର୍ଷେ ପୂରିଛି। ଜାନୁୟାରୀ ୧୫ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଅତିକମ୍ରେ ପ୍ରଥମ ଡୋଜ ଟିକା ଦେବା ଲାଗି ରାଜ୍ୟ ସରକାର ଧାର୍ୟ୍ୟ କରିଥିଲେ । ହେଲେ ଧାର୍ୟ୍ୟ ସମୟ ଭିତରେ ଏହି ଲକ୍ଷ ପୂରଣ ହୋଇପାରି ନାହିଁ । ଆହୁରି ଲକ୍ଷାଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ନାହାଁନ୍ତି । ଫଳରେ ଧାର୍ୟ୍ୟ ଲକ୍ଷକୁ ପୁନର୍ବାର ଚଳିତ ମାସକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଏବେ ସୁଦ୍ଧା ରାଜ୍ୟରେ ୯୨ପ୍ରତିଶତରୁ ସାମାନ୍ୟ ଅଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୭୦ପ୍ରତିଶତ ଉଭୟ ଡୋଜ୍ ଟିକା ନେଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୫.୪କୋଟି ଟିକା ଦିଆଗଲାଣି ।
ଗତ ବର୍ଷ ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା । ଏହା ପରଠୁ ଦେଶରେ ଟିକାକରଣ କାର୍ୟ୍ୟକ୍ରମ ଜାରି ରହିଛି । ବର୍ତମାନ ସୁଦ୍ଧା ଦେଶରେ ୧୫୭ କୋଟି ଡୋଜ୍ ଦିଆ ସରିଲାଣି । ହେଲେ ଦେଶର ସମସ୍ତଙ୍କୁ ଟିକାକରଣର ଲକ୍ଷ ଏପର୍ୟ୍ୟନ୍ତ ପୂରଣ ହୋଇନାହିଁ ।
ଦେଶରେ କରୋନାର ତୃତୀୟ ଲହର ବ୍ୟାପୁଥିବା ବେଳେ ଟିକା ନେବା ନିହାତି ଆବଶ୍ୟକ ହୋଇ ପଡିଛି । ସବୁଠୁ ବଡ କଥା ହେଉଛି ଦେଶର ୮ ପ୍ରତିଶତ ଲୋକ ଏପର୍ୟ୍ୟନ୍ତ କରୋନାର ଗୋଟିଏ ବି ଡୋଜ୍ ନେଇ ନାହାନ୍ତି । ସେହିପରି ୩୧ ପ୍ରତିଶତ ଲୋକ ଟିକାର ଦୁଇଟି ଡୋଜ୍ ନେଇ ନାହାନ୍ତି । ଏହାରି ଭିତରେ ଦେଶରେ ୧୫ରୁ ୧୮ ବର୍ଷଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଗତ ସୋମବାରଠାରୁ ବୁଷ୍ଟର ଡୋଜ୍ ଦେବା ମଧ୍ୟ ଆରମ୍ଭ ହୋଇଛି । ୩୮ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଲେଣି ।
Powered by Froala Editor
