ତପସ୍ବିନୀଙ୍କ ରାସ୍ତାରେ ଲୋପାମୁଦ୍ରା, ସ୍ବାମୀଙ୍କ ଘର ଆଗରେ ଦେଲେ ଧାରଣା

ତପସ୍ବିନୀଙ୍କ ରାସ୍ତାରେ ଲୋପାମୁଦ୍ରା, ସ୍ବାମୀଙ୍କ ଘର ଆଗରେ ଦେଲେ ଧାରଣା

ରାଜ୍ୟ ଖବର

ବଲାଙ୍ଗିର : ନ୍ୟାୟ କେମିତି ହାସଲ କରାଯାଏ ବୋଧ ହୁଏ ଶିଖାଇ ଦେଇଛନ୍ତି ବ୍ରହ୍ମପୁରର ତପସ୍ବିନୀ। ଏବେ ସେହି ନ୍ୟାୟ ଆଶାରେ ତପସ୍ବିନୀଙ୍କ ରାସ୍ତା ଆପଣାଇଛନ୍ତି ଏମିତି କିଛି ମହିଳା। ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଦେଖିବାକୁ ମିଳିଛି ବଲାଙ୍ଗିର ସହର ଟିକ୍ରାପଡାରେ। ଟିକ୍ରାପଡାର ବାସୁଦେବ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଭିତରେ ଗତ ୨୦୧୮ ମସିହାରେ କୌଣସି କାରଣକୁ ନେଇ ଦାମ୍ପତ୍ୟ କଳହ ଦେଖାଦେଇଥିଲା। କଳହ ଉଗ୍ର ରୂପ ଧାରଣ କରିବା ପରେ, ନିଜର ଯୌତୁକ ଜିନିଷ ପତ୍ର ସାଂଗରେ ନେଇ ଲୋପାମୁଦ୍ରା ସମ୍ୱଲପୁର ଠାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ।

ପ୍ରଥମେ ଥାନା ଓ ତାପରେ କୋର୍ଟରେ ଚାଲିଛି ମାମଲା। ଡିଭୋର୍ସ ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ହଠାତ ଆଜି ଠାରୁ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୁଦ୍ରା। ଲୋପାମୁଦ୍ରା ସମ୍ୱଲପୁରରୁ ଆସି, ଗତ କିଛି ମାସ ହେବ ବଲାଙ୍ଗିର ସହରର ତାଲପାଲି ପଡାରେ ଏକ ଭଡା ଘର ନେଇ ରହୁଥିଲେ। ଘର ମାଲିକ ଭଡା ଘରୁ ତଡିଦେବାରୁ ଏବେ ସ୍ୱାମୀଙ୍କ ସହିତ ରହିବା ପାଇଁ ଜିଦ୍ କରି ସେ ଧାରଣାରେ ବସିଛନ୍ତି।

ସେପଟେ ସଖି ସେଣ୍ଟର ତରଫରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ସାଂଗରେ ଏକ ସାତ ବର୍ଷର ପୁଅକୁ ଧରି ଲୋପାମୁଦ୍ରା ଶୀତ ରାତିରେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିବା ଘଟଣାକୁ ନେଇ ସାରା ସହର ଭିତରେ ଚର୍ଚ୍ଚାର ବିଷୟ ହୋଇଛି।


Powered by Froala Editor