ସୋନପୁର:ବରଯାତ୍ରୀ ଯାଇ ଫେରୁଥିଲେ, ବାଟରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେଲା ବୋଲେରୋ ଓ ଟ୍ରକ। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବୋଲେରୋ ପୂରା ନଷ୍ଟ ହୋଇଯାଇଥିଲା। ଏଥିରେ ୫ ଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଏମିତି ଗାଡ଼ି ଅବସ୍ଥା ହୋଇଥିଲା ଯେ ଦୁର୍ଘଟଣା ପରେ ଗ୍ୟାସ୍ କଟରରେ ଗାଡ଼ିକୁ କଟାଯାଇ ମୃତାହତମାନଙ୍କୁ ବାହାରକୁ କଢାଯାଇଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି ସୋନପୁର ଜିଲ୍ଲାରେ। ସୋନପୁର ମହାନଦୀ ସେତୁ ଉପରେ ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ପଞ୍ଚମହଲା ଗ୍ରାମର ଆଶିଷ ପଣ୍ଡିଆ, ଆଶିଷଙ୍କ ଝିଅ ସିଦ୍ଧି ପଣ୍ଡିଆ, ପ୍ରମୋଦ ପଣ୍ଡିଆ, ନିମନା ଗ୍ରାମର ତ୍ରୟମ୍ବକ ମେହେର, ଶୁଭମ ପଣ୍ଡିଆଙ୍କ ମୃତ୍ୟୁ ହୋଇଛି। ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏକ ବାହାଘରରେ ବରଯାତ୍ରୀ ଭାବେ ଯୋଗ ଦେଇ ନିଜ ଗାଁକୁ ଫେରୁଥିବାବେଳେ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।
