ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳଙ୍କୁ ମିଳିଲାନି ବିଜେପକି ଟିକେଟ୍। ସ୍ବାଧୀନ ଭାବେ ଲଢ଼ିବେ ନିର୍ବାଚନ। ପାରିକରଙ୍କ ଗଡ଼ ଭାବେ ପରିଚିତ ପାଣାଜୀ ବା ପାଣାଜୀମରୁ ଟିକେଟ ଦେବ ବୋଲି ଉତ୍ପଳ ଆଶା କରିଥିଲେ। ହେଲେ ବିଜେପିରୁ ନିରାଶ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଉତ୍ପଳଙ୍କ ଏପରି ନିଷ୍ପତ୍ତି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଆଜି ସାମ୍ବାଦିକ ସମ୍ମିଳନୀ କରି ଉତ୍ପଳ ପାରିକର କହିଛନ୍ତି, ଦୁଇ ଦଶନ୍ଧି ଧରି ମନୋହର ପାରିକର ପାଣାଜୀରୁ ନିର୍ବାଚନ ଲଢ଼ିଥିଲେ। ପାଣାଜୀ ସହ ତାଙ୍କର ନିବିଡ଼ତା ରହିଥିଲା। ମୁଁ ମଧ୍ୟ ପାଣାଜୀବାସୀଙ୍କ ସହ ଜଡ଼ିତ। ତେଣୁ ଏଠାରୁ ନିର୍ବାଚନ ଲଢ଼ିବି।
ବିଜେପିର ପ୍ରାର୍ଥୀ ତାଲିକାରୁ ଉତ୍ପଳ ବାଦ ପଡ଼ିବା ପରେ ଆପ୍ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ନିଜ ଦଳକୁ ସ୍ୱାଗତ କରିଥିଲେ। ଏହାପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଉତ୍ପଳ ସ୍ୱାଧୀନ ଭାବେ ଲଢ଼ିଲେ ବିରୋଧୀ ପ୍ରାର୍ଥୀ ଦେବେ ନାହିଁ ବୋଲି କହିଥିଲେ। ଏସବୁ ଭିତରେ ଉତ୍ପଳ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।
ଫେବୃଆରୀ ୧୪ରେ ଗୋଆର ସମସ୍ତ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ ହେବ। ମାର୍ଚ୍ଚ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ
Powered by Froala Editor
