ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ମୂଲ୍ୟ ହ୍ରାସ ପାଇବ। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଦାମ ଡୋଜ୍ ପିଛା ୨୭୫ ଟଙ୍କା ରହିବ। ଏହାବାଦ୍ ଏଥିରେ ସର୍ଭିସ ଚାର୍ଜ ଭାବେ ୧୫୦ ଟଙ୍କା ମିଶାଯିବ। ଉଭୟ ଟିକାକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ମିଳିବା ପରେ ଦାମରେ ଏପରି ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର କୋଭାକ୍ସିନ ଓ କୋଭିସିଲ୍ଡକୁ ଖୁବଶୀଘ୍ର ନିୟମିତ ମାର୍କେଟ ଅନୁମୋଦନ ଦେବେ। ଏହାର ଅର୍ଥ ଖୋଲା ବଜାରରେ ଏଣିକି ଟିକା ଉପଲବ୍ଧ ହେବ। ମାର୍କେଟରେ ଏଗୁଡ଼ିକ ପ୍ରବେଶ କରିବା ପରେ ଦାମ ହ୍ରାସ ପାଇବ। ନ୍ୟାଶନାଲ ଫାର୍ମସୁଟିକାଲ ପ୍ରାଇସିଂ ଅଥୋରିଟି(ଏନପିପିଏ)କୁ ଦର ହ୍ରାସ ଉପରେ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ଦେଶର ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକାର ଦାମ ୧୨ ଶହ ଟଙ୍କା ରହିଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା କୋଭିସିଲ୍ଡର ଦାମ ଡୋଜ୍ ପିଛା ୭୮୦ ଟଙ୍କା ରହିଛି। ଏଥିସହ ଟିକା ଉପରେ ୧୫୦ ଟଙ୍କାର ସର୍ଭିସ ଚାର୍ଜ ମଧ୍ୟ ଲାଗୁ କରାଯାଉଛି।
ଦୁଇ ଟିକାକୁ ଦେଶରେ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବାରୁ ଏପରି ଅଧିକ ଦାମରେ ବିକ୍ରି ହେଉଛି। ହେଲେ ରେଗୁଲାର ମାର୍କେଟ ଆପ୍ରୁଭାଲ ମିଳିବା ପରେ ଏଗୁଡ଼ିକ ଶସ୍ତାରେ ଉପଲବ୍ଧ ହେବ।
ଜାନୁଆରୀ ୧୯ରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋରଲ ଅର୍ଗାନାଇଜେସନର କୋଭିଡ-୧୯ ସବଜେକ୍ଟ ଏକ୍ସପର୍ଟ କମିଟି କୋଭାକ୍ସିନ ଓ କୋଭିସିଲ୍ଡକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା। କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଏପରି ଅନୁମତି ଦେବାକୁ କମିଟି କହିଛି। ଏବେ ଭାରତ ସରକାର ପ୍ରସ୍ତାବ ଉପରେ ମୋହର ମାରିବାକୁ ଯୋଜନା କରୁଛନ୍ତି।
ଅକ୍ଟୋବର ୨୫ରେ ସେରମ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଡିସିଜିଆଇ ନିକଟରେ କୋଭିସିଲ୍ଡ ଟିକାକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ଦେବାକୁ ଆବେଦନ କରିଥିଲେ।
Powered by Froala Editor
