ନୂଆଦିଲ୍ଲୀ : ମହାରାଷ୍ଟ୍ରର ୧୨ ବିଜେପି ବିଧାୟକଙ୍କ ନିଲମ୍ବନକୁ ଅସମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟ। ବର୍ଷକ ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏହି ବିଧାୟକଙ୍କୁ ନିଲମ୍ବନ କରିଥିଲେ। ପ୍ରିଜାଇଡିଂ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା। ଏହାକୁ ନେଇ ନିଲମ୍ବିତ ବିଧାୟକମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଚାରପତି ଏ ଏମ୍ ଖାନୱିଲକରଙ୍କ ନେତୃତ୍ବରେ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି, ଗୋଟିଏ ବର୍ଷକ ପାଇଁ ବିଧାୟକମାନେ ନିଲମ୍ବିତ ହୋଇ ପାରିବେ ନାହିଁ। କୋର୍ଟଙ୍କ କହିବା ଅନୁଯାୟୀ ଗୋଟିଏ ଅଧିବେଶନରୁ ଅଧିକ ଦିନ ବିଧାୟକଙ୍କୁ ନିଲମ୍ବନ କରାଯାଇ ପାରିବ ନାହିଁ। ସୂଚନା ଅନୁଯାୟୀ ୨୦୨୧ ଜୁଲାଇ ୫ ତାରିଖରେ ଏହି ବିଧାୟକଙ୍କୁ ବିଧାନସଭାର କାର୍ୟ୍ୟକ୍ରମରୁ ନିଲମ୍ବନ କରାଯାଇଥିଲା। ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ଆସିବା ପରେ ବିଜେପି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଏହା ରାଜ୍ୟ ମହା ଅଘାଡ଼ି ସରକାରଙ୍କୁ ଏକ ଶକ୍ତି ଚାପୁଡ଼ା ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା କେବଳ ୧୨ ବିଧାୟକଙ୍କ ବିଜୟ ନୁହେଁ, ଏହା ପୁରା ରାଜ୍ୟବାସୀଙ୍କ ବିଜୟ।
Powered by Froala Editor
