ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପଦ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସଂରକ୍ଷଣର ଚିଠା ତାଲିକା ପ୍ରକାଶ କରି ନଗର ଉନ୍ନୟନ ବିଭାଗ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରିଥିଲା।
ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କଟକ ମେୟର ପଦ ଅଣସଂରକ୍ଷିତ ରହିଥିବା ନେଇ ଚୂଡ଼ାନ୍ତ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଏଥର ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିନାହିଁ।
ସେହିପରି ୩ ମହାନଗରର ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ ହୋଇଛି । ସୀମା ନିର୍ଦ୍ଧାରଣ ସହ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିଛି । କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଛି । ଭୁବନେଶ୍ୱରର ୬୭ଟି ଓ୍ୱାର୍ଡରୁ ୩୮ଟି ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି ।
ଏହାପରେ ଖୁବ୍ ଶୀଘ୍ର ୧୦୭ ପୌରାଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏନେଇ ଆସିଥିବା ଅଭିଯୋଗଗୁଡ଼ିକର ଶୁଣାଣି ଚାଲିଛି।
ପଞ୍ଚାୟତ ନିର୍ବାଚନ ଫେବୃଆରୀରେ ଆରମ୍ଭ ହୋଇ ମାର୍ଚ୍ଚ ଶେଷ ଯାଏ ଚାଲିବ। ଏପ୍ରିଲ, ମେ’ ସୁଦ୍ଧା ପୌର ନିର୍ବାଚନ ହେବ ବୋଲି ନଗର ଉନ୍ନୟନ ବିଭାଗ କହିଛି। ଖୁବ୍ଶୀଘ୍ର ଅନ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ମଧ୍ୟ ସୀମା ନିର୍ଦ୍ଧାରଣ ଶେଷ ହେବ। ଏହାପରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିବ ବୋଲି ଜଣାପଡ଼ିଛି।
Powered by Froala Editor
