ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଏଥର ଲୋକଙ୍କ ଭୋଟରେ ନିର୍ବାଚିତ ମହିଳା ନେତ୍ରୀ ଧରିବେ ବିଏମସିର ମଙ୍ଗ । ଏ ନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ବିଏମସିର ମୋଟ ୬୭ଟି ୱାର୍ଡ ଭିତରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାଙ୍କ ପାଇଁ ମୋଟ ୩୮ଟି ୱାର୍ଡ ସଂରକ୍ଷିତ ରଖାଯାଇଛି । ନଗର ଉନ୍ନୟନ ବିଭାଗରୁ ଚୂଡ଼ାନ୍ତ ତାଲିକା ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ତେବେ ଅଧିକାଂଶ ପ୍ରଭାବାଶଳୀ କର୍ପୋରେଟର ସଂରକ୍ଷଣ ମାଡ଼ରୁ ବର୍ତ୍ତି ଯାଇଛନ୍ତି । ଅର୍ଥାତ ସେମାନେ ନିର୍ବାଚନ ଲଢ଼ିବା ନେଇ ପ୍ରାୟତଃ ସମସ୍ୟା ନାହିଁ । ଏବେ ସେମାନେ ଟିକେଟ ଲବି ଆରମ୍ଭ କରିଦେଇଛନ୍ତି । ହେଲେ ପ୍ରାୟ ୧୭ଜଣ ପୂର୍ବତନ କର୍ପୋରେଟର ଏଥର ନିଜେ ନିଜ ୱାର୍ଡରୁ ନିର୍ବାଚନ ଲଢ଼ିପାରିବେନି । ସଂରକ୍ଷଣ ଯୋଗୁ ସେମାନଙ୍କ ପତ୍ତା ଏକପ୍ରକାର କଟିଯାଇଥିବା ଚର୍ଚ୍ଚା ହେଉଛି ।
ସଂରକ୍ଷଣ ଯୋଗୁ ୱାର୍ଡ ରାଜନୀତି ଓଲଟିଯାଇଛି କେତେକ ଆସନରେ । ଯେଉଁମାନେ ଗତଥର କର୍ପୋରେଟର ଥିଲେ, ସେମାନେ ଆଗାମୀ ବିଏମସି ନିର୍ବାଚନ ଲଢ଼ିପାରିବେନି ନିଜ ୱାର୍ଡରୁ । ପୂର୍ବତନ କର୍ପୋରେଟର ନରେନ ସାହୁ, ମୋନାଲିସା ସାହୁ, ସଂଜୟ ସେଠୀ, ନବକିଶୋର ବେହେରା, ସମୀର ପ୍ରଧାନ, ଭାନୁପ୍ରିୟା ଦାସ, ଜ୍ୟୋତ୍ସା ରାଉତରାୟ, ଦେବାଶିଷ ସିଟ୍, ପ୍ରଣବ ସ୍ୱାଇଁ, ନିଖିଳ ବଳବନ୍ତରାୟ, ଅଶ୍ୱିନୀ ସୁନ୍ଦରାୟ, ରଘୁନାଥ ମହାନ୍ତି, ହୃଦୟ ବଲ୍ଲଭ ସାମନ୍ତରାୟ, ଦିଲ୍ଲୀପ ମାଝୀ, ସୁରେଶ ଜେନା, ନିର୍ମଳ ରାଉତ, ଦେବୀ ପ୍ରସାଦ ନନ୍ଦ (ମଂଟୁ), ମୁଜାହିଦ ହୁସେନ ପ୍ରମୁଖ ଏଥର ନିଜ ୱାର୍ଡରୁ ଲଢ଼ିବା ବାଟ ପ୍ରାୟତଃ ବନ୍ଦ । କାହା ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି ତ ଆଉ କାହାର ଅନ୍ୟ ବର୍ଗ ପାଇଁ ସଂରକ୍ଷିତ । ଏମିତିରେ ଅଧିକାଂଶ ଏବେ ନିଜ ପତ୍ନୀ, ପରିବାର ସଦସ୍ୟ କିମ୍ବା ନିଜ ଅନୁଗତଙ୍କୁ ପ୍ରାର୍ଥୀ କରାଇବା ପାଇଁ ଲାଗି ପଡ଼ିଲେଣି । ଏମିତିକି କେତେକ କର୍ପୋରେଟର ନିଜ ମୂଳ ୱାର୍ଡ ଛାଡ଼ି ପାଖ ୱାର୍ଡରୁ ପ୍ରାର୍ଥୀ ହେବାକୁ ଉଦ୍ୟମ ଆରମ୍ଭ କରିଦେଲେଣି । ହେଲେ ପାଖ ୱାର୍ଡରୁ ବି ଏକାଧିକ ଆଶାୟୀ ଥିବାରୁ ସେଠାରୁ ଟିକେଟ ମିଳିବା ଏତେ ସହଜ ହେବନି ।
ଆଜି ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁସାରେ ବିଏମସିର ୱାର୍ଡ ନମ୍ବର ୩୪, ୧୩ ଓ ୨ ଅନୁସୂଚିତ ଜାତି ମହିଳା (ଏସସି ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନଂ ୩୬, ୧୮, ୨୧ ସଂରକ୍ଷିତ ରହିଛି ଅନୁସୂଚିତ ଜାତି (ଏସସି) ବର୍ଗ ପାଇଁ । ୱାର୍ଡ ନଂ ୨୨, ୨୬ ଅନୁସୂଚିତ ଜନଜାତି (ଏସଟି) ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ୮ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି ।
କେବଳ ମହିଳାଙ୍କ ପାଇଁ ସଂରକ୍ଷିିତ ରହିଛି ୨୯ଟି ୱାର୍ଡ । ୱାର୍ଡ ନମ୍ବର ୪୧, ୩୫, ୪୦, ୧୭, ୪୭, ୩୮, ୬୩, ୫୮, ୩୭, ୧୧, ୬୨, ୧୫, ୪୮, ୫୩, ୯, ୩୯, ୧୪, ୩, ୪୬, ୬୭, ୨୮, ୧୯, ୪୯, ୫, ୨୩, ୧୨, ୩୩, ୬୬ ଓ ୬୪ରେ କେବଳ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ଏସସି ଓ ଏସଟି ବର୍ଗଙ୍କ ପାଇଁ ସଂରକ୍ଷିତ ମହିଳା ଆସନକୁ ମିଶାଇଲେ ବିଏମସି ମୋଟ ଉପରେ ୩୫ଟି ୱାର୍ଡରେ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।
Powered by Froala Editor
