ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଶକ୍ତ ଝଟକା ଲାଗିଛି। ଗୁରୁବାର ମଧ୍ୟରାତ୍ରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ପୁତୁରା ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି। ବେଆଇନ ବାଲି ଖନନ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ଗତ ସପ୍ତାହରେ ଇଡି ହନୀଙ୍କ ଫ୍ଲାଟରେ ରେଡ୍ କରିଥିଲା। ଏହି ସମୟରେ ସେଠାରୁ ୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଅଧିକ ଖୋଳତାଡ଼ କରିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଇଡିର ଅଧିକାରୀମାନେ ଗତକାଲି ମୋହାଲିରେ ଥିବା ହନୀଙ୍କ ହିମଲ୍ୟାଣ୍ଡ ସୋସାଇଟି ଫ୍ଲାଟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ମାରାଥାନ ଜେରା କରାଯାଇଥିଲା। ଦିନ ତମାମ ଜେରା କରାଯିବା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇ ଜଲନ୍ଧରରେ ଥିବା ଇଡି ଅଫିସକୁ ନିଆଯାଇଛି।
ଜଲନ୍ଧର ସିଭିଲ ହସ୍ପିଟାଲରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା। ଆଜି ତାଙ୍କୁ ପୁଣି ମୋହାଲି ଅଣାଯାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର କରାଯିବ। ଏହି ସମୟରେ ହନୀଙ୍କୁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିବ ବୋଲି ଜଣାପଡ଼ିଛି।
ଗତ ସପ୍ତାହରେ ଇଡି କରିଥିବା ରେଡ୍ ବେଳେ ହନୀଙ୍କ ପାଖରୁ ୮ କୋଟିର ନଗଦ ଟଙ୍କା, ୨୧ ଲକ୍ଷର ସୁନା ଅଳଙ୍କାର, ୧୨ ଲକ୍ଷର ଗୋଟିଏ ଘଣ୍ଟା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ମିଶାଇ ମୋଟ ୧୦ କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା। ଏହାପରେ ତାଙ୍କୁ ତଦନ୍ତରେ ସାମିଲ ହେବାକୁ ସମନ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏପରି ଗିରଫଦାରୀ ରାଜନୀତିକ ଉଷ୍ଣତାକୁ ମଧ୍ୟ ବଢ଼ାଇ ଦେଇଛି। କଂଗ୍ରେସ ଦୁଇ ଦିନ ଭିତରେ ପଞ୍ଜାବ ପାଇଁ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ଏହି ଦୌଡ଼ରେ ଚନ୍ନି ସବୁଠାରୁ ଆଗରେ ଅଛନ୍ତି। ଏପରି ସ୍ଥିତିରେ ଇଡି ତାଙ୍କ ପୁତୁରାଙ୍କୁ ଗିଫ କରିବା ନୂଆ ଟ୍ୱିଷ୍ଟ ଆଣିଛି। ଚନ୍ନିଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦୌଡ଼ରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଅଛନ୍ତି।
Powered by Froala Editor
