କେନ୍ଦ୍ରମନ୍ତ୍ରୀ ବିଶେଶ୍ବରଙ୍କୁ ହାଇକୋର୍ଟରେ ଆଶ୍ବସ୍ତି

କେନ୍ଦ୍ରମନ୍ତ୍ରୀ ବିଶେଶ୍ବରଙ୍କୁ ହାଇକୋର୍ଟରେ ଆଶ୍ବସ୍ତି

ରାଜ୍ୟ ଖବର

କଟକ: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ହାଇକୋର୍ଟରେ ମିଳିଛି ଆଶ୍ୱସ୍ତି। ଟୁଡ଼ୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ମାମଲାରେ ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି ସମୟ ଭିତରେ ତଦନ୍ତରେ ସହଯୋଗ କରିବେ କେନ୍ଦ୍ରମନ୍ତ୍ରୀ। ଏହା ସହ ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନ କରିବେ ସେ ଦିଗରେ ବି ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଓକିଲ କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ ଯେଉଁ ଏଫ୍ଆଇଆର କରାଯାଇଛି ତାହା ବିଶ୍ୱାସ ଯେଗ୍ୟ ନୁହେଁ। ରାଜନୈତିକ ଆକ୍ରୋଶ ରଖି ଯଦି ଅଫିସରମାନେ ଏପରି କରିବେ, ତାହାହେଲେ ଦେଶରେ ସାମ୍ବିଧାନିକ ବ୍ୟବସ୍ଥା ରହିବ ନାହିଁ।

ସୂଚନାଯୋଗ୍ୟ, ଜାନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଡାକିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଆମେ ଯାଇପାରିବୁ ନାହିଁ ବୋଲି ଦୁଇ ଅଧିକାରୀ କହିଥିଲେ। ଏହା ପରେ ମନ୍ତ୍ରୀ ସେମାନଙ୍କୁ ବାରିପଦା ସର୍କିଟ୍ ହାଉସ୍କୁ ଡ଼କାଇଥିଲେ। ମାତ୍ର ସେମାନେ ରାଜି ହୋଇନଥିଲା।

ଶେଷରେ ମନ୍ତ୍ରୀ ନିଜ ତକତପୁର ସ୍ଥିତ କାର୍ୟ୍ୟାଳୟକୁ ଦୁଇ ଅଧିକାରୀଙ୍କୁ ଡକାଇଥିଲେ। ଡାକରା ପାଇ ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସିଥିଲେ। ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ମନ୍ତ୍ରୀ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେଠାରେ କୁଆଡ଼େ ମନ୍ତ୍ରୀ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

Powered by Froala Editor