ଭୁବନେଶ୍ୱର: ୨ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବର୍ତ୍ତମାନ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଦିନ ୧୨ଟା୨୫ରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ରହିଛନ୍ତି ।
ଅପରାହ୍ନରେ ପୁରୀ ହେଲିପ୍ୟାଡରେ ପହଞ୍ଚିଛନ୍ତି। ସେଠାରୁ ରାଜଭବନ ଯାଇ ଅବସ୍ଥାନ କରିବେ । ଅପରାହ୍ନ ୪ଟା ୫୦ରେ ରାଜଭବନରୁ ବାହାରି ଶ୍ରୀମନ୍ଦିରକୁ ଯିବେ । ସଂଧ୍ୟା ୫ଟାରୁ ୫ଟା ୪୫ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଆସନ୍ତାକାଲି ଅର୍ଥାତ୍ ୨୦ତାରିଖ ସକାଳ ୧୦ଟା ୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉସôବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆଜି ଅପରାହ୍ନ ୫ଟାରେ ଶ୍ରୀମନ୍ଦର ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ସିଂହଦ୍ୱାର ନିକଟରେ ଅସ୍ଥାୟୀ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Powered by Froala Editor
