କେନ୍ଦ୍ରାପଡ଼ା : ସବୁ ସୀମା ପାର କଲା ତୃତୀୟ ପର୍ୟ୍ୟାୟ ନିର୍ବାଚନର ହିଂସାକାଣ୍ଡ। ବୁଥ୍ ରିଗିଂ ହେଲା। ଭୋଟ୍ ବାକ୍ସ ଲୁଟ୍ ହେଲା। ବିଡିଓ ଓ ସାମ୍ବାଦିକଙ୍କୁ ଆକ୍ରମଣ ହେଲା। ତା’ସହିତ ଲୋକଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ ପୁଲିସ୍ କର୍ମଚାରୀ। ପୁଲିସ୍ଠୁ ଲାଠି ଛଡ଼ାଇ ପୁଲିସ୍କୁ ପିଟିଥିଲେ। କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଏହି ଘଟଣା। ସର୍ବସମ୍ମୁଖରେ ପୁଲିସ୍କୁ ହୋଇଛି ନିସ୍ତୁକ ମାଡ଼।
ରାଜନଗର ଡେରା ପଞ୍ଚାୟତର ଗୋଖଣି ଗାଁରେ ଆଜି ଚାଲିଥିଲା ମତଦାନ। ତେବେ ବୁଥ୍ରେ ଥିବା ଜଣେ ଏଜେଣ୍ଟକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଏହି ଏଜେଣ୍ଟଙ୍କ ନାଁ ଭୋଟର ଲିଷ୍ଟ ନାହିଁ। ତଥାପି ସେ କେମିତି ଏଜେଣ୍ଟ ହେଲେ ତାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ହସ୍ତକ୍ଷେପ କରିଥିଲା। ଏହି ସମୟରେ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କିଛି ଲୋକ ପୁଲିସ୍କୁ ମାଡ଼ ମାରିଥିଲେ।
କିଛି ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ୍ ଆସି ପ୍ରଥମେ ସେମାନଙ୍କୁ ପିଟିଥିଲା। ତେଣୁ ଲୋକେ ଉତ୍ତେଜିତ ହୋଇଗଲେ ଓ ପ୍ରତିବାଦରେ ସେମାନଙ୍କୁ ପିଟିଥିଲେ।
ଅନ୍ୟପକ୍ଷରେ ଆହତ ହୋଇଥିବା ଜଣେ ପୁଲିସ୍ ଏଏସ୍ଆଇ କହିଛନ୍ତି ଯେ ପୁଲିସ୍ ମାଡ଼ ମାରି ନଥିଲା। ଲୋକେ ଆକ୍ରମଣ କରିବାରୁ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଲୋକଙ୍କ ଉପରେ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ନିଆଯାଇ ନଥିଲା।
ପୁଲିସ୍ର ଲାଲି ଆଖି ଓ ଲାଠିରେ ଲୋକମାନେ ଡରି ନଥିଲେ। ସ୍ଥିତିକୁ ଦେଖି ଉପସ୍ଥିତ ବରିଷ୍ଠ ପୁଲିସ୍ ଅଧିକାରୀ ନିଜ ସର୍ଭିସ୍ ରିଭଲଭର କାଢ଼ି ଥିଲେ। ବନ୍ଧୁକ ଦେଖିବା ପରେ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।ଅନ୍ୟପକ୍ଷରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଦିନ ଗୋଟାଏ ସୁଦ୍ଧା ୬୨ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ପୂର୍ବରୁ ସକାଳ ୯ଟା ସୁଦ୍ଧା ୧୫ ପ୍ରତିଶତ ଓ ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିଲା ।
Powered by Froala Editor
