ଭୁବନେଶ୍ୱର: ନୂଆ ଷ୍ଟାଇଲରେ ନବୀନ। ପୂରା ଖେଳାଳିଙ୍କ ଭଳି ଟ୍ରାକ୍ସ ଓ ଟି ସାର୍ଟ। ଏଭଳି ପୋଷାକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଯାଇଥିଲେ। ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ।
ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ। ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ । ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ ।
Powered by Froala Editor
