ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଭିତରେ ବିବାଦଚରମ ସୀମାରେ ପହଞ୍ଚିଛି। କୌଣସି ବି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇଯାଇପାରେ। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଯାଇଛି। ଏସବୁ ଭିତରେ ଭାରତ ସରକାର ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖି ଭାରତ ସରକାର ନିଜ ଦେଶର ନାଗରିକଙ୍କୁ ସ୍ଥିତି ସ୍ୱାଭାବିକ ନ ହେବା ଯାଏ ସ୍ୱଦେଶ ଫେରି ଆସିବାକୁ କହିଥିଲେ। ହେଲେ ଠିକଣା ସମୟରେ ବିମାନ ଟିକେଟ ମିଳୁ ନଥିବାରୁ ସେଠାରେ ରହିଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ କେମିତି ଆସିବେ, ତା’କୁ ନେଇ ଚିନ୍ତାରେ ପଡ଼ିଥିଲେ।
ଏବେ ଭାରତ ସରକାର ସେମାନଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ବି-୭୮୭ ବିମାନରେ ୨୦୦ ସିଟ୍ ରହିଛି। ଏହାକୁ କେବଳ ସ୍ୱତନ୍ତ୍ର ଅପରେସନ ବେଳେ ବ୍ୟବହାର କରାଯାଇ ଥାଏ। ଆଜି ସକାଳୁ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଛି। ସେଠାରୁ ଭାରତୀୟଙ୍କୁ ଧରି ଆଜି ରାତିରେ ବିମାନଟି ନୂଆଦିଲ୍ଲୀରେ ପହଞ୍ଚିବ।
ୟୁକ୍ରେନ ଓ ରୁଷ ମଧ୍ୟରେ ବିବାଦ ବଢ଼ୁଥିବାରୁ ଭାରତ ସରକାର ୟୁକ୍ରେନରୁ ଓ ୟୁକ୍ରେନକୁ ବିମାନ ଉଡ଼ାଣ ପାଇଁ ଲଗାଇଥିବା କଟକଣା ହଟାଇ ଦେଇଛନ୍ତି। ଏହାଦ୍ୱାରା ଅଧିକ ସଂଖ୍ୟକ ଲୋକ ବିମାନ ଯୋଗେ ଭାରତ ଫେରିବାର ସୁଯୋଗ ପାଇପାରିବେ। ସେହିପରି ଫେବୃଆରୀ ୧୮ରେ ଭାରତ ସରକାର ୟୁକ୍ରେନ ସହ ୩ଟି ବନ୍ଦେ ଭାରତ ମିଶନ ଜିରିଆରେ ବିମାନ ସେବା ଆରମ୍ଭ କରିବେ ବୋଲି କହିଥିଲେ।
ଏହି ବନ୍ଦେ ଭାରତ ମିଶନରେ ୩ଟି ବିମାନ ଯଥାକ୍ରମେ ୨୨, ୨୪ ଓ ୨୬ ତାରିଖରେ ୟୁକ୍ରେନ ଯିବାର ଅଛି। ଆଜି ୨୨ ତାରିଖ ହୋଇଥିବାରୁ ପ୍ରଥମ ବିମାନଟି ନୂଆଦିଲ୍ଲୀରୁ ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଛି। ନୂଆଦିଲ୍ଲୀରୁ ଉଡ଼ାଣ ଭରିଥିବା ବିମାନଟି ୟୁକ୍ରେନର ବୋରୟସ୍ପିଲ ଅନ୍ତର୍ଜାତୀୟ ବିମାନବନ୍ଦରେ ପହଞ୍ଚିବ।
ଏହାପରେ କିଭ୍ ସ୍ଥିତ ଦୂତାବାସ ସହ ଯୋଗାଯୋଗ କରି ଏୟାରପୋର୍ଟରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀ ଆଣିବ ବୋଲି ଜଣାପଡ଼ିଛି।
Powered by Froala Editor
