କଟକ: ନବୀନ ସରକାର ଦ୍ଵାରା କଟକରେ ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲକୁ ବନ୍ଦ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ ଯାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ଅଭିଯୋଗ କରିଛନ୍ତି। ୟାସିର୍ କହିଛନ୍ତି,ଏହି ଟ୍ରେନିଂ ସ୍କୁଲ ବନ୍ଦ ହୋଇଗଲେ ଓଡ଼ିଶାର ମୁସଲମାନ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନେ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବେ। ୧୯୧୨ ମସିହାରୁ କଟକର ଶେଖ ବଜାର ରେ ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା ହୋଇଛି। ଉର୍ଦ୍ଦୁ ମାଧ୍ୟମରେ ପ୍ରାଥମିକ ଶିକ୍ଷକ ଟ୍ରେନିଂ ନିମନ୍ତେ ଏହି ଅନୁଷ୍ଠାନଟି ଉଦ୍ଧିଷ୍ଟ। ଏହି ଅନୁଷ୍ଠାନରୁ ପିଲାମାନେ ପରୀକ୍ଷାରେ ପାଶ କରିଲା ପରେ ଉର୍ଦ୍ଦୁ ସିଟି ସାର୍ଟିଫିକେଟ ପାଇ ପ୍ରାଥମିକ ଶିକ୍ଷକ ଭାବରେ ନିଯୁକ୍ତି ପାଆନ୍ତି। କିନ୍ତୁ ଗତ ବର୍ଷରୁ ଏହି ଉର୍ଦ୍ଦୁ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ଆଡମିଶନ କରାଯାଇନାହିଁ। ବର୍ତ୍ତମାନ ଓଡିଶା ସରକାର ଉର୍ଦ୍ଦୁ ସେକେଣ୍ଡାରୀ ସିଟି ଟ୍ରେନିଂ ସ୍କୁଲ କୁ ବନ୍ଦ କରିଦେବେ ବୋଲି ସେ ଅଭିଯୋଗ ଉଠାଇଛନ୍ତି।
ୟାସିର କହିଛନ୍ତି, ଓଡିଶାର ନବୀନ ସରକାର କେନ୍ଦ୍ରର ବିଜେପି ସରକାର ସହିତ ହାତ ମିଳାଇ ଓଡିଶାରେ ମୁସଲମାନମାନଙ୍କର ସବୁ ସରକାରୀ ଅନୁଷ୍ଠାନକୁ ଅଚଳ କରିବା ସହିତ ଏବେ ଏ ସ୍କୁଲ ବି ବନ୍ଦ କରିଦେବାକୁ ବସିଛି। ଉର୍ଦ୍ଦୁ ସିଟି ଟ୍ରେନିଂ ସ୍କୁଲ ଦ୍ୱାରା ଅନେକ ଉର୍ଦ୍ଦୁ ଭାଷା ଭାଷି ମୁସଲମାନ ଛାତ୍ରଛାତ୍ରୀମାନେ ଉର୍ଦ୍ଦୁ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଛନ୍ତି। ଏହି ଉର୍ଦ୍ଦୁ ଅନୁଷ୍ଠାନଟି ବନ୍ଦ ହୋଇଗଲେ କେବଳ ଯେ ମେଧାବୀ ମୁସଲମାନ ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବ ତାହା ନୁହେଁ, ଅନେକ ମୁସଲମାନ ଯୁବକ ଯୁବତୀମାନେ ସରକାରୀ ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ହେବେ। ମୁସଲମାନମାନେ ସରକାରୀ ଚାକିରୀରେ ବହୁତ କମ ଅଛନ୍ତି। ଏହି ଉର୍ଦ୍ଦୁ ଅନୁଷ୍ଠାନକୁ ବନ୍ଦ କରିଦେଲେ ମୁସଲାମାନ ଯୁବକ ଯୁବତୀ ମାନେ ସରକାରୀ ଚାକିରି ନିଯୁକ୍ତିରୁ ବଞ୍ଚିତ ହେବେ। ଏଭଳି କରି ମୁସଲମାନ ସମ୍ପ୍ରଦାୟ ପ୍ରତି ବିଜେଡି ସରକାର ବହୁତ ବଡ ଅନ୍ୟାୟ କରିବାକୁ ଯାଉଛି।
ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ଓଡିଶାରେ ଥିବା ୱାକଫ ବୋର୍ଡ,ହଜ କମିଟି,ଉର୍ଦ୍ଦୁ ଏକାଡେମି,ମଦ୍ରସା ବୋର୍ଡ ଇତ୍ୟାଦିର ଗଠନ ହୋଇଥିଲା। କିନ୍ତୁ ନବୀନ ସରକାର ଏହି ସବୁ ଅନୁଷ୍ଠାନକୁ ଅଚଳ କରିଦେଇ ପରିଚାଳନା କମିଟିକୁ ଗଠନ କରୁନାହିଁ। ସଂଖ୍ୟାଲଘୁ ସମ୍ପ୍ରଦାୟର ବେକାର ଯୁବକ ଯୁବତୀମାନଙ୍କ ପାଇ କଂଗ୍ରେସର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ ସମୟରେ "ସଂଖ୍ୟାଳଘୁ ଅର୍ଥ ନିଗମ" ଗଠନ କରାଯାଇ ଅଳ୍ପ ସୁଧରେ ରୁଣ ଯୋଗାଣ କରାଯାଉଥିଲା,ହେଲେ ବିଜେଡି ସରକାର ତାହାକୁ ବନ୍ଦ କରିଦେଇଛି। ବର୍ତ୍ତମାନ ଓଡିଶାର ସର୍ବ ପୁରାତନ ୧୧୦ ବର୍ଷର ଉର୍ଦ୍ଦୁ ସେକେଣ୍ଡାରୀ ସିଟି ଟ୍ରେନିଂ ସ୍କୁଲ କୁ ନବୀନ ସରକାର ବନ୍ଦ କରିବା ପାଇ ଚକ୍ରାନ୍ତ ଚଳାଇଛନ୍ତି।
ୟାସିର କହିଛନ୍ତି, ଯଦି ଓଡିଶା ସରକାର ଏହାକୁ ବନ୍ଦ କରିବେ, ତେବେ ଓଡିଶା ଛାତ୍ର କଂଗ୍ରେସ କଦାପି ବରଦାସ୍ତ କରିପାରିବ ନାହିଁ। ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ରାଜରାସ୍ତାରେ ଲଢେଇ କରିବା ପାଇଁ ଓଡିଶା ଛାତ୍ର କଂଗ୍ରେସ ପ୍ରସ୍ତୁତ ଅଛି। ତେଣୁ ଓଡିଶା ସରକାର କେନ୍ଦ୍ରର ବିଜେପି ସରକାରର ହାତବାରିଶି ନ ହୋଇ ଉର୍ଦ୍ଦୁ ସେକେଣ୍ଡାରୀ ସିଟି ଟ୍ରେନିଂ ସ୍କୁଲକୁ ପୁନର୍ବାର ପରିଚାଳିତ କରନ୍ତୁ। ନଚେତ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ।
Powered by Froala Editor
