ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଘୋଷଣା ହୋଇଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତ୍ରୀବ ଭର୍ତ୍ସନା କରିଛନ୍ତି। ବିଶ୍ବରେ ହେବାକୁ ଯାଉଥିବା ଭୟଙ୍କର ଯୁଦ୍ଧ ପଇଁ ରୁଷ ଉତ୍ତରଦାୟୀ ହେବ ବୋଲି ବାଇଡେନ୍ ଚେତାଇ ଦେଇଛନ୍ତି।
ଦୀର୍ଘ ଦିନ ହେଲା ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ୩ ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ରୁଷ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପାଇଛି।
ଏଥିସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ତଳେ ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୀବ୍ର ତିକ୍ତତା ଦେଖିବାକୁ ମିଳିଛି। ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦରୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି।
ଅନ୍ୟପକ୍ଷରେ ରୁଷର ଏପରି ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ଜରୁରୀ ବୈଠକ ଡାକିଛି। କ୍ରମାଗତ ୩ୟ ଥର ପାଇଁ ରୁଷ ଓ ୟୁକ୍ରେନ ବିବାଦ ମଧ୍ୟରେ ପରିଷଦର ବୈଠକ ବସିବାକୁ ଯାଉଛି।
ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ରୁଷ ଯେକୌଣସି ସମୟରେ ବଡ଼ଧରଣର ଯୁଦ୍ଧ କରିପାରେ ବୋଲି ଆଶଙ୍କା କରିଥିଲେ। ସତକୁ ସତ ଏହି ବୟାନର କିଛି ସମୟ ପରେ ପୁଟିନ ୟୁକ୍ରେନରେ ସାମାରିକ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି ୟୁକ୍ରେନ ସାମାରିକ କାର୍ୟ୍ୟାନୁଷ୍ଠାନ ଚାହୁଁନାହିଁ, ତା’ହେଲେ କିଭ୍ର ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ମଧ୍ୟ ପୁଟିନ କହିଛନ୍ତି।
Powered by Froala Editor
