ୱାଶିଂଟନ: ୟୁକ୍ରେନ୍ ଉପରେ ରୁଷର ବଡ଼ ଧରଣର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍କୁ ଚତୁର୍ଦିଗରୁ ଘେରିବାକୁ ପୁଟିନ୍ ନିର୍ଦେଶ ଦେଇଛନ୍ତି। ରକେଟ୍ ଓ ମିସାଇଲ୍ ମାଡ କରୁଛନ୍ତି। ଏଥିରେ ଥରହର ହୋଇ ଉଠିଛି ୟୁକ୍ରେନ୍। ତେବେ ରୁଷର ସେନାର ଆକ୍ରମଣରେ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍। ୟୁକ୍ରେନ୍ ଉପରେ ରୁଷର ଏହି ଆକ୍ରମଣ ପରେ ଆମେରିକାର ଏବଂ ତାର ସହଯୋଗୀ ଦେଶଗୁଡିକ ରୁଷର ସମସ୍ତ ବ୍ୟବସାୟିକ, ବ୍ୟାଙ୍କ ଏବଂ ସମଗ୍ର ଅର୍ଥନୈତିକ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଘୋଷଣା କରିଛନ୍ତି।
ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଏକମାତ୍ର ବିକଳ୍ପ ହେଉଛି ତୃତୀୟ ବିଶ୍ୱଯୁଦ୍ଧର ପ୍ରାରମ୍ଭ ବୋଲି ସେ କହିଛନ୍ତି। ଯୁଦ୍ଧ ପରିସ୍ଥିତି ଭିତରେ ବାଇଡେନ୍ଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବାଇଡେନ୍ ଏକ ସାକ୍ଷାତକାର୍ରେ କହିଛନ୍ତି, ଏକ ମାତ୍ର ବିକଳ୍ପ ହେଉଛି ରୁଷ ସହ ଯୁଦ୍ଧ କରାଯାଉ ଏବଂ ତୃତୀୟ ବିଶ୍ୱଯୁଦ୍ଧର ପ୍ରାରମ୍ଭ ହେଉ। ଦ୍ୱିତୀୟ ବିକଳ୍ପ ହେଉଛି ଯେଉଁ ଦେଶ ଅନ୍ତରାଷ୍ଟ୍ରୀୟ ନିୟମ ବିରୋଧରେ ଯାଏ ସେ ଗଭୀର ପରିଣାମ ଭୋଗିଥାଏ। ରାଜନୈତିକ ଓ ଆର୍ଥିକ ପ୍ରତିବନ୍ଧକ ଇତିହାସରେ ସବୁଠୁ ବ୍ୟାପକ ପ୍ରତିବନ୍ଧକ ଅଟେ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।
ସୂଚନା ମୁତାବକ, ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଆମେରିକା, ବ୍ରିଟେନ୍ ଓ ୟୁରୋପୀୟ ସଙ୍ଘ ରୁଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସବୁ ଦେଶ ଭ୍ଲାଦିମିର ପୁଟିନଙ୍କ ସମ୍ପତ୍ତି ଜବତ କରିବେ ବୋଲି ଘୋଷଣା କରିଛନ୍ତି। କେବଳ ରୁଷ ରାଷ୍ଟ୍ରପତି ନୁହନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ସେନା ମୁଖ୍ୟଙ୍କ ସମ୍ପତ୍ତି ମଧ୍ୟ ଜବତ କରିବା ପାଇଁ ଘୋଷଣା କରିଛନ୍ତି।
ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ଜେ ବ୍ଲିଙ୍କନ୍ କହିଥିଲେ ଯେ, ୟୁକ୍ରେନ ଉପରେ ଆକ୍ରମଣ କରିବା ଫଳ ରୁଷକୁ ଭୋଗିବାକୁ ହେବ । କାରଣ ରୁଷର ଆକ୍ରମଣ ପାଇଁ ୟୁକ୍ରେନ ଲୋକେ ସଙ୍କଟରେ ଫସିଛନ୍ତି।
Powered by Froala Editor
