ଜେନେଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ୟୁକ୍ରେନର ବିଭିନ୍ନ ସହରରେ ରୁଷର ହମଲା ଜାରି ରହିଥିବାରୁ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଯୁଦ୍ଧ ଆରମ୍ଭ ହେବାର ୭ ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁକ୍ରେନବାସୀ ଭୟରେ ଦେଶ ଛାଡ଼ି ଦେଇଛନ୍ତି। ଜାତିସଂଘର ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏବେ ବି ଲକ୍ଷାଧିକ ଲୋକ ୟୁକ୍ରେନ ଛାଡ଼ିବା ମୁଡରେ ଅଛନ୍ତି। ଏଥିପାଇଁ ଦେଶର ସୀମାନ୍ତ ଅଭିମୁଖେ ସେମାନେ ଯିବାରେ ଲାଗିଛନ୍ତି।
୨୦୨୦ ସୁଦ୍ଧା ବିଶ୍ୱ ବ୍ୟାଙ୍କର ଗଣତି ଅନୁସାରେ ୟୁକ୍ରେନର ମୋଟ ଜନସଂଖ୍ୟା ୪୪ ମିଲିୟନ ରହିଥିଲା। ଯୁଦ୍ଧ ଯୋଗୁ ୪ ମିଲିୟନ ବା ୪୦ ଲକ୍ଷ ଲୋକ ଦେଶ ଛାଡ଼ିବେ ବୋଲି ଜାତିସଂଘ ଆକଳନ କରିଥିଲା। ହେଲେ ଏବେ ଯେଉଁ ହାରରେ ଲୋକମାନେ ଦେଶ ଛାଡ଼ୁଛନ୍ତି, ତା’କୁ ଦେଖି ସମସ୍ତଙ୍କ ଚିନ୍ତା ବଢ଼ିଛି। ଆକଳନ ଠାରୁ ଆହୁରି ଅଧିକ ଲୋକ ଯୁଦ୍ଧର ଭୟାବହତା ଯୋଗୁ ଦେଶ ଛାଡ଼ିପାରନ୍ତି ବୋଲି କୁହାଯାଉଛି।
ୟୁଏନ୍ସିଏଚ୍ଆର୍ ମୁଖପାତ୍ର ଜୋଙ୍ଗ ଗେଡିନି ୱିଲିୟମ୍ସ ଗୋଟିଏ ଇ-ମେଲରେ ଲେଖିଛନ୍ତି, “ଆମ ତଥ୍ୟ ଅନୁସାରେ ମଧ୍ୟରାତ୍ର ସୁଦ୍ଧା ୧ ମିଲିୟନ ଲୋକ ୟୁକ୍ରେନ ଛାଡ଼ିଛନ୍ତି। ଜାତୀୟ ଅଧିକାରୀଙ୍କ ଗଣତି ଅନୁସାରେ ଏହି ତଥ୍ୟ ହାସଲ ହୋଇଛି। ୟୁକ୍ରେନ ଛାଡ଼ି ମାତ୍ର ୭ ଦିନ ମଧ୍ୟରେ ପଡ଼ୋଶୀ ଦେଶକୁ ଏତେ ସଂଖ୍ୟକ ଲୋକ ଯାଇଛନ୍ତି।”
୨୦୧୧ରେ ସିରିୟାରେ ସିଭିଲ ୱାର ଆରମ୍ଭ ହୋଇଥିଲା। ଏଠାରେ ବିଶ୍ୱର ସବୁଠାରୁ ଭୟଙ୍କର ଶରଣାର୍ଥୀ ସମସ୍ୟା ଦେଖାଯାଇଛି। ସିରିୟା ଛାଡ଼ି ୫.୬ ମିଲିୟନ ଲୋକ ଅନ୍ୟତ୍ର ଯାଇଛନ୍ତି। ୨୦୧୩ରୁ ହିଁ ଲୋକମାନେ ଯୁଦ୍ଧ ଯୋଗୁ ସିରିୟା ଛାଡ଼ିବା ଆରମ୍ଭ କରିଥିଲେ। ଏଠାରେ ୧ ମିଲିୟନ ବା ୧୦ ଲକ୍ଷ ଲୋକ ଦେଶ ଛାଡ଼ିବା ପାଇଁ ପ୍ରାୟ ୩ ମାସ ସମୟ ଲାଗିଥିଲା। ହେଲେ ୟୁକ୍ରେନରୁ ମାତ୍ର ୭ ଦିନରେ ୧୦ ଲକ୍ଷ ଲୋକ ପଡ଼ୋଶୀ ଦେଶକୁ ଚାଲି ଯାଇଛନ୍ତି।
Powered by Froala Editor
