ଜେରୁଜେଲମ: ମହାମାରୀ କରୋନାକୁ ନେଇ ଆଉ ଏକ ଚିନ୍ତାଜନକ ଖବର ଆସିଛି। ଇସ୍ରାଏଲରୁ ଠାବ ହୋଇଛି କରୋନାର ନୂଆ ଭାରିଏଣ୍ଟ। ଦୁଇ ଜଣଙ୍କ ଶରୀରରୁ ଏହି ନୂଆ ଭାରିଏଣ୍ଟ ଠାବ ହୋଇଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ମିଳିଥିବା ଓମିକ୍ରନର ଦୁଇଟି ସବ୍ ଭାରିଏଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି। ବିଏ.୧ ଓ ବିଏ.୨ ଭାବେ ଜଣାଶୁଣା ଏହି ଦୁଇ ଭାରିଏଣ୍ଟ ମିଳିତ ଭାବେ ନୂଆ ଷ୍ଟ୍ରେନରେ ପରିଣତ ହୋଇଛନ୍ତି। ଏବେ ଏହା ଦୁଇ ଜଣ ଇସ୍ରାଏଲ ଫେରନ୍ତାଙ୍କ ଶରୀରରୁ ଠାବ ହୋଇଛି।
ଏହି ଦୁଇ ବ୍ୟକ୍ତି ଇସ୍ରାଏଲର ବେନ ଗୁରିଅନ ଏୟାରପୋର୍ଟରେ ଅବତରଣ କରିଥିଲେ। ଏହାପରେ ସେମାନଙ୍କର ଆରଟି ପିସିଆର ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ଏହି ସମୟ ମିଳିତ ଭାରିଏଣ୍ଟ ଉଭୟଙ୍କ ଶରୀରରୁ ଠାବ ହୋଇଛି।
ଏହି ଭାଇରସର ପ୍ରଭାବ ସମ୍ପର୍କରେ ଏଯାଏ ବିଶ୍ୱର କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଖରେ ନାହିଁ। ପ୍ରଥମ ଥର ଏପରି ମିଳିତ ଭାଇରସ ଠାବ ହୋଇଛି।
ମନ୍ତ୍ରଣାଳୟ କହିଛି, ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଦୁଇ ବ୍ୟକ୍ତିଙ୍କ ଶରୀରରେ ମଧ୍ୟମଧରଣର ଜ୍ୱର ରହିଛି। ସେହିପରି ମୁଣ୍ଡ ବିନ୍ଧା ହେବା ସହ ସେମାନେ ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେବେ ସେମାନଙ୍କୁ ଏଯାଏ ସ୍ୱତନ୍ତ୍ର ମେଡିକାଲ ଚିକିତ୍ସାର ଆବଶ୍ୟକ ପଡ଼ିନି। ତେଣୁ କେହି ବି ଏହାକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକ ନଥିବା ମନ୍ତ୍ରଣାଳୟ ଆଶ୍ୱନା ଦେଇଛି।
Powered by Froala Editor
