ନୂଆଦିଲ୍ଲୀ: ବିଜେପି ପକ୍ଷରୁ ରାଜ୍ୟସଭା ଉପ ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଶୁକ୍ରବାର ଦଳ ୪ ଜଣଙ୍କ ନାଁ ଘୋଷଣା କରିଥିବା ବେଳେ ଆଜି ଆଉ ଜଣଙ୍କ ନାଁ ଘୋଷଣା କରାଯାଇଛି। ବିଜେପିର ଘୋଷଣା ଅନୁଯାୟୀ, ଦଳୀୟ ହାଇକମାଣ୍ଡ ଆସାମ ପାଇଁ ପବିତ୍ରା ମାରଗେରିଟା, ହିମାଚଳ ପ୍ରଦେଶ ପାଇଁ ସିକନ୍ଦର କୁମାର, ତ୍ରିପୁରା ପାଇଁ ମାଣିକ ସାହା ଓ ନାଗାଲାଣ୍ଡ ପାଇଁ ଏସ୍ ଫାଙ୍ଗୋନ କୋନୟକଙ୍କୁ ରାଜ୍ୟସଭା ଉପ ନିର୍ବାଚନର ପ୍ରାର୍ଥୀ ଭାବେ ଚୟନ କରିଛନ୍ତି।
ସେହିପରି ଆସାମର ଆଉ ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ସହଯୋଗୀ ୟୁପିପିଏଲର କାର୍ୟ୍ୟକାରୀ ସଭାପତି ରୁଙ୍ଗୱରା ନରଜାରୀଙ୍କୁ ପ୍ରାର୍ଥୀ କରିଛି। ଆସାମରେ ବିଜେପି ଓ ୟୁପିପିଏଲ ମିଳିତ ଭାବେ ସରକାର ଗଠନ କରିଛନ୍ତି।
ଏହି ସବୁ ରାଜ୍ୟରେ ବିଜେପି ସରକାରରେ ଥିବାରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଥିବା ସଦସ୍ୟମାନେ ସହଜରେ ଉଚ୍ଚ ସଦନକୁ ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି।
Powered by Froala Editor
