ରୁଷରୁ ତୈଳ କିଣିବାକୁ ଡିଲ୍‌ ଫାଇନାଲ୍‌ କଲା ଆଇଓସିଏଲ୍

ରୁଷରୁ ତୈଳ କିଣିବାକୁ ଡିଲ୍‌ ଫାଇନାଲ୍‌ କଲା ଆଇଓସିଏଲ୍

ଜାତୀୟ ଖବର

ନୂଆଦିଲ୍ଲୀ: ଆମେରିକାର କଡ଼ା ବିରୋଧ ସତ୍ତ୍ୱେ ରୁଷ ଠାରୁ ଅଶୋଧିତ ତୈଳ ଆଣିବାକୁ ଡିଲ ଫାଇନାଲ କରିଛି ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ ବା ଆଇଓସିଏଲ। ରୁଷ ସରକାର ୟୁକ୍ରେନ ବିରୋଧରେ ସାମାରିକ ଅପରେସନ ଜାରି ରଖିଥିବାରୁ ପଶ୍ଚିମ ଦେଶଗୁଡ଼ିକ ମସ୍କୋ ସହ ବ୍ୟବସାୟିକ ସମ୍ପର୍କ ତୁଟାଇ ଦେଇଛନ୍ତି।

ଏପରି ସ୍ଥିତିରେ ଆଇଓସିଏଲ ରୁଷ ଠାରୁ ଶସ୍ତାରେ ଅଶୋଧିତ ତୈଳ ଆଣିବାକୁ ଚୁକ୍ତି କରିଛି। ଚୁକ୍ତି ଅନୁସାରେ ଆଇଓସିଏଲ ରୁଷ ଠାରୁ ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆଣିବ। ଏନେଇ ରୁଷର ଗୋଟିଏ ତୈଳ କମ୍ପାନୀ ସହ ଆଇଓସିଏଲ ଡିଲ୍ ଫାଇନାଲ କରିଛି।

ମିଳିଥିବା ସୂଚନା ଅନୁସାରେ, ଅଶୋଧିତ ତୈଳ ପାଇଁ ଦୁଇ କମ୍ପାନୀଙ୍କ ମଧ୍ୟରେ ବେଶ କିଛି ଦିନ ଧରି ଆଲୋଚନା ହୋଇଥିଲା। ଏହାପରେ ଉଭୟ ମିଳିତ ଭାବେ ତୈଳ ଆମଦାନୀ ପାଇଁ ଚୁକ୍ତି କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଯୋଗୁ ଆମେରିକା ସରକାର ମସ୍କୋ ଉପରେ କଟକଣା ଲଗାଇଛି। କିଛି ପଶ୍ଚିମ ଦେଶ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହେଲେ ଭାରତ ପାଇଁ ରୁଷ ଠାରୁ ଅଶୋଧିତ ତୈଳ ଆମଦାନୀ କରିବାକୁ କୌଣସି କଟକଣା କେହି ବି ଲଗାଇ ନାହାନ୍ତି। କଟକଣା ଲାଗି ନଥିବାରୁ ଆଇଓସିଏଲ ଶସ୍ତାରେ ରୁଷ ଠାରୁ ୩୦ ଲକ୍ଷ ବ୍ୟାରେଲ ତୈଳ ଆଣିବାକୁ ନିଷ୍ପତ୍ତି ନେଇଛି।

ଆମେରିକା ଓ ପଶ୍ଚିମ ଦେଶ ଗୁଡ଼ିକ ରୁଷ ଠାରୁ ତୈଳ ଆମଦାନୀ ବନ୍ଦ କରିବାକୁ ଘୋଷଣା କରିଥିଲେ। ଏହାପରେ ରୁଷ ଶସ୍ତାରେ ଭାରତ ସମେତ ଆଉ କିଛି ଦେଶକୁ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି କହିଥିଲା। ଏହାଦ୍ୱାରା ଆମେରିକାର କଟକଣାର ପ୍ରଭାବକୁ ଦୁର୍ବଳ କରିବାକୁ ରୁଷ ଲକ୍ଷ୍ୟ ରଖିଛି। ହେଲେ ଭାରତର ଏପରି ରୁଷ ପ୍ରୀତି ଆମେରିକା ଓ ପଶ୍ଚିମ ଦେଶଗୁଡ଼ିକୁ କ୍ଷୁବ୍ଧ କରିବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ଭାରତ ତା’ର ଆବଶ୍ୟକତାର ୮୦% ଅଶୋଧିତ ତୈଳ ଆମଦାନୀ କରିଥାଏ। ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୨୦ ଡଲାର ଉପରେ ରହିଛି। ତେଣୁ ରୁଷ ଏହାଠାରୁ ବହୁତ କମ ଦାମରେ ଭାରତକୁ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଭାରତ ସରକାର ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଶ୍ୱସ୍ତରରେ ରାଜନୀତିର ଆବଶ୍ୟକ ନାହିଁ ବୋଲି କହିଥିଲେ।


Powered by Froala Editor