ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁରେ ଠକେଇ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁରେ ଠକେଇ ଅଭିଯୋଗ

ଜାତୀୟ ଖବର

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ନାଁରେ ଆସିଛି ଠକେଇ ଅଭିଯୋଗ।  ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ ଅଧ୍ୟକ୍ଷ ବୈଭବ ଗେହଲଟଙ୍କ ବିରୋଧରେ  କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରର ନାସିକରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ପର୍ୟ୍ୟଟନ ବିଭାଗରେ ଇ-ଟଏଲେଟ୍ ଟେଣ୍ଡର ସହ ଅନ୍ୟ ସରକାରୀ ଟେଣ୍ଡରରେ ୬ କୋଟି ୮୦ ଲକ୍ଷ ଟଙ୍କା ଘୋଟାଲା କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁରେ ଏତଲା ଦିଆଯାଇଛି। ନାସିକର ବ୍ୟବସାୟୀ ସୁଶୀଲ ଭାଲଚନ୍ଦ୍ର ପାଟିଲ ଗଙ୍ଗାପୁର ଥାନାରେ ବୈଭବ ଗେହଲଟ୍ଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି, ଗୁଜରାଟ କଂଗ୍ରେସର ସମ୍ପାଦକ ସଚିନ ପୁରଷୋତ୍ତମ ବାଲେରା।

ଗଙ୍ଗାପୁର ପୁଲିସ ଷ୍ଟେସନର ବରିଷ୍ଠ ପୁଲିସ ଅଧିକାରୀ ରିୟାଜ ଶେଖଙ୍କ କହିବା ମୁତାବକ, ରାଜସ୍ଥାନ ଏବଂ ଗୁଜରାଟରେ ରହୁଥିବା ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏମାନେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି।

ଅଭିଯୋଗ ଅନୁଯାୟୀ ସୁଶୀଲ ପାଟିଲଙ୍କୁ ଗୁଜରାଟ କଂଗ୍ରେସର ସମ୍ପାଦକ ସଚିନ ପୁରଷୋତ୍ତମ ବାଲେରା ୨୦୧୮ରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ବୋଲି ନିଶ୍ଚିତ କରିଥିଲେ। ଏହି ଘନିଷ୍ଠ ସମ୍ପର୍କ ହେତୁ ସେ ରାଜ୍ୟ ସରକାର ପ୍ରଦାନ କରିଥିବା ଚୁକ୍ତିନାମାକୁ ପରିଚାଳନା କରନ୍ତି ବୋଲି କହିଥିଲେ। ଏହାପରେ ସେ ସୁଶୀଲଙ୍କୁ ସରକାରୀ ଚୁକ୍ତିନାମା ସହିତ ଏକ ଘରୋଇ ସୀମିତ କମ୍ପାନୀରେ ଅଂଶୀଦାର ହେବାକୁ କହିଥିଲେ। ସୁଶୀଲ ସେହି କମ୍ପାନୀ ଜରିଆରେ ୬.୮୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଯେତେବେଳେ ପୁଞ୍ଜି ବିନିଯୋଗ ବନ୍ଦ ହୋଇଗଲା ସେତେବେଳେ ସେ ଏବଂ ବୈଭବ ଗେହଲୋଟଙ୍କ ମଧ୍ୟରେ ଭିଡିଓ କଲ୍ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଯେଉଁଠାରେ ଗେହଲଟ୍ ତାଙ୍କୁ ତାଙ୍କର ଟଙ୍କା ଫେରାଇ ଦେବେ ବୋଲି କଥା ଦେଇଥିଲେ।

ଏପଟେ କିନ୍ତୁ ବୈଭବ ଗେହଲଟ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଏହା ସହ ମୋର କୌଣସି ସଂପର୍କ ନାହିଁ । ତଦନ୍ତ ପରେ ହିଁ ସବୁ ସତ୍ୟାସତ୍ୟ ଜଣାପଡିବ।’ ଅନ୍ୟପଟେ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ନାଁରେ ଠକେଇ ଅଭିଯୋଗ ଆସିବା ପରେ ରାଜନୀତି ଜୋର୍ ଧରିଛି।

Powered by Froala Editor