ଅବତକ ୧୬୪

ଅବତକ ୧୬୪

ରାଜ୍ୟ ଖବର

ଭୁବନେଶ୍ୱର:୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ନିର୍ବାହୀ ଯନ୍ତ୍ରୀ ଓ ୨ ଜଣ  ବ୍ଲକ ଶିକ୍ଷା  ଅଧିକାରୀ ଅଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବାଧ୍ୟତାମୂଳକ ଅବସର ଦିଆଯାଇଛି । 

    ଚାକିରିରୁ ତଡ଼ା ଖାଇଥିବା ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଅଛି। ତାଙ୍କ ପାଖରେ 3.26 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା।  ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର  ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ତାଙ୍କ ପାଖରେ ୭. ୬୩ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (Testing and Calibration) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର  ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (ED & Inspection) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଅଛି। ସେ ୧୦ ହଜାର  ଟଙ୍କାର ଲାଞ୍ଚ  ନେଇ ଧରାପଡ଼ିଥିଲେ। ତାଙ୍କୁ ଗତ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇଥିଲା। ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

    ସେହିପରି ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ  ନାମରେ ଗୋଟିଏ ଦୁର୍ନୀତି ମାମଲା  ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିଲାବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ । ଅସାଧୁତା କାରଣରୁ ତାଙ୍କୁ ବି ବାଧ୍ୟତାମୂଳକ ଅବସର ଦିଆଯାଇଛି । 

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି।

Powered by Froala Editor