ଭୁବନେଶ୍ବର: ବାଣପୁରରେ ଚିଲିକା ବିଧାୟକଙ୍କ ଗାଡି ମଡାଇବା ମାମଲାର ତଦନ୍ତ ଉପରେ ସନ୍ଦେହ ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ନବୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସରକାରଙ୍କ ଛତ୍ରଛାୟାରେ ପ୍ରତିଦିନ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟୁଛି, ଠିକ୍ ସେହିପରି ଓଡ଼ିଶାରେ ଘଟୁଥିବା ରାଜନୈତିକ ହିଂସା, ନୟାଗଡ଼ର ଯୁବକ ମାନସର ରହସ୍ୟଜନକ ହତ୍ୟା, ହିଞ୍ଜିଳି ରାଜରାସ୍ତାରେ ନିର୍ମମ ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି, ଯାହା ଉଦବେଗର ବିଷୟ ।
ଧର୍ମେନ୍ଦ୍ର ଆହୁରିମଧ୍ୟ କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ୟ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଥିଲା । ଏହି ଛାତିଥରା ଦୃଶ୍ୟ ରାଜ୍ୟବାସୀଙ୍କ କଷ୍ଟ ଦେଇଥିଲା । ବିଧାୟକ ନିଜ ଚଳାଉଥିବା ଗାଡିର ଦୃଶ୍ୟ ଓ ଗାଡି ନମ୍ବର ରାଜ୍ୟର ଗଣମାଧ୍ୟମ ଦ୍ବାରା ପ୍ରସାରିତ ହୋଇଥିଲା । ପୋଲିସ ପ୍ରଶାସନ ନିଜ ଆଡୁ ଏଫଆଇଆର ରୁଜୁ କରିଥିଲେ । ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ସେହି ଗାଡି ନମ୍ବର ବଦଳରେ ଭିନ୍ନ ଏକ ଗାଡିର ନମ୍ବର ଏଫଆଇଆରରେ ଉଲ୍ଲେଖ ହୋଇଛି ।ପୋଲିସର ଏହି କାର୍ୟ୍ୟ ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଏକ ସୁସ୍ଥ ସମାଜରେ ଅଶୋଭନୀୟ । ଓଡ଼ିଶାର ପୋଲିସ ଏବଂ ପ୍ରଶାସନ ଏଭଳି ଜଣେ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇ ଖସାଇବା ପାଇଁ ଅପଚେଷ୍ଟା କରିବା ତଥା ଓଡ଼ିଶା ଭଳି ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ୟ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ସୁରକ୍ଷା ଦେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ।
Powered by Froala Editor
