ମାନସ ହତ୍ୟାକାଣ୍ଡ; ଖୋଲୁଛି ଗୁମର

ମାନସ ହତ୍ୟାକାଣ୍ଡ; ଖୋଲୁଛି ଗୁମର

ରାଜ୍ୟ ଖବର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଘନେଇବାରେ ଲାଗିଛି । ରିମାଣ୍ଡରେ ଥିବା ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ନେଇଛି । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କୁ ଦୁଇଟି ଗାଡିରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ନିଆଯାଉଛି । ଚାରି ଜଣଙ୍କୁ କୁଆଡେ ନିଆଯାଉଛି, ଏବାବଦରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କୌଣସି ଏକ ନୂଆ ସୁରାକ ପାଇଁ ସ୍ପଟକୁ ନେଉଥିବା କୁହାଯାଉଛି । ଅନ୍ୟପଟେ ଆଜି କ୍ରାଇମ୍ ସିନ ରିକ୍ରିଏଟ ହେବ ନାହିଁ, ଆସନ୍ତାକାଲି କ୍ରାଇମ ସିନ୍ ରିକ୍ରିଏଟ ହେବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ସୂଚନା ମିଳିଛି । 

ସୂଚନା ଅନୁସାରେ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ଏବେ ରହସ୍ୟ ଫିଟିବାରେ ଲାଗିଛି  । ଖସିଯିବାକୁ ଶର୍ମିଷ୍ଠା କିଭଳି ଉଦ୍ୟମ କରିଥିଲା ତାହାର ଗୁମର ଫିଟାଇଛି କ୍ରାଇମବ୍ରାଂଚ  ।

କ୍ରାଇମବ୍ରାଂଚ କହିଛିଯେ, ପୁଲିସକୁ ବାଟବଣା କରିବା ପାଇଁ ଶର୍ମିଷ୍ଠା ଚାଲ ଖେଳିଥିଲା  । ସୁରାକ ନପାଇବା ପାଇଁ ନିଜ ଫ୍ଲାଟରେ ମୋବାଇଲ ଛାଡ଼ି ପଳାଇଥିଲା  । ତେବେ ସମ୍ପର୍କୀୟଙ୍କ ସହ ଯୋଗସୂତ୍ରରେ ରହିବା ପାଇଁ ସେ ୩ଟା ସିମ କିଣିଥିଲା  । ଆଗରପଡ଼ାରେ ଗୋଟିଏ ଓ କୋଲକାତାରେ ୨ଟି ସିମ କିଣିଥିଲା  । ଶର୍ମିଷ୍ଠା ୭ ତାରିଖରେ ଝୁନାକୁ ଧରି ଶାଶୂଘର କାଳିଆପାଣିକୁ ଯାଇଥିଲା  । ସେଠାରେ ୩ ଦିନ ରହିବା ପରେ ଶାଶୂକୁ ଧରି ନଣନ୍ଦ ଘରକୁ ଯାଇଥିଲା  । ସେଠାରେ ୩ ଦିନ ରହିବା ପରେ ସେ କୋଲକାତା ପଳାଇଥିଲା  । କୋଲକାତାରୁ ନଦିଆ ଓ ସେଠାରୁ ମାୟାପୁରୀ ଯାଇ କିଛିଦିନ କାଟିଥିଲା  । ଗିରଫଦାରୀରୁ ବର୍ତିବା ପାଇଁ ଶର୍ମିଷ୍ଠା ମାୟାପୁରୀ ଛାଡ଼ି ଜଲପାଇଗୁଡ଼ି ଚାଲି ଯାଇଥିଲା  ।

କିନ୍ତୁ ଟଙ୍କା ସରିଯିବାରୁ ସେ ଓଡ଼ିଶା ଫେରୁଥିଲା  । ଓଡ଼ିଶା ଫେରୁଥିବାବେଳେ କ୍ରାଇମବ୍ରାଂଚ ତାକୁ ଗିରଫ କରିଥିଲା  । ଅପରପକ୍ଷରେ ମାନସ ସ୍ୱାଇଁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି  । ଏକ ଘାତକ ଅସ୍ତ୍ର ସାହାଯ୍ୟରେ ତାକୁ ମାଡ଼ ମରାଯାଇଥିବା ଜଣାପଡ଼ିଛି  ।

Powered by Froala Editor