୭ରେ ଲଘୁଚାପ, ବାତ୍ୟା ଆଶଙ୍କା!

୭ରେ ଲଘୁଚାପ, ବାତ୍ୟା ଆଶଙ୍କା!

ରାଜ୍ୟ ଖବର

ଭୁବନେଶ୍ବର: ୭ରେ ସୃଷ୍ଟି ହେବ, ପୁଣି ଏକ ବାତ୍ୟା ଆସିପାରେ। ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୨୪ଘଣ୍ଟା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ସମ୍ଭାବନା ରହିଛି। 

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଲଘୁଚାପଟି ବାତ୍ୟା ରୂପ ନେଇପାରେ। ୫ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି। ଏହାର ଗତିପଥ କ’ଣ ହେବ ଓ କେତେ ଘନୀଭୂତ ହେବ; ସେଥିରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ। ୟୁରୋପିଆନ୍ ମଡେଲ, ଅଷ୍ଟ୍ରେଲିଆନ୍ ମଡେଲ ଓ ଜର୍ମାନୀ ମଡେଲ କହୁଛି ଯେ ଲଘୁଚାପ ହେବା ପରେ ଏହା ବିଶେଷ ଘନୀଭୂତ ହେବନାହିଁ। ଲଘୁଚାପଟି ପଶ୍ଚିମ ଆଡ଼କୁ ଗତି କରି ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳକୁ ଗତି କରିବ ଏବଂ ସେତେବେଳକୁ ଦୁର୍ବଳ ହୋଇସାରିଥିବ।

ଏନ୍ସିଇପି-ଜିଏଫ୍ଏସ୍ ମଡେଲ କହୁଛି, ଘୂର୍ଣ୍ଣିବଳୟଟି ୭ ତାରିଖରେ ଲଘୁଚାପ ହେବା ପରେ ୯ ତାରିଖରେ ଅବପାତ ଓ ୧୧ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଷ୍ଟମଟି ସେତେବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବ। ଏହାପରେ କିଛି ଉତ୍ତରକୁ ଯାଇ ଦିଗ ପରିବର୍ତ୍ତନ କରି ମିଆଁମାର-ବାଂଲାଦେଶ ଯାଇପାରେ। ଦିଗ ପରିବର୍ତ୍ତନ ନ କଲେ ଦେଶର ପୂର୍ବ ଉପକୂଳ ଛୁଇଁପାରେ।  ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଅର୍ଥାତ ୯ ତାରିଖ ବେଳକୁ ଏନେଇ ଅଧିକ ସ୍ପଷ୍ଟ କହିହେବ ବୋଲି ଡ. ପଶୁପାଳକ କହିଛନ୍ତି। 


Powered by Froala Editor