ଗତବର୍ଷ ଅପେକ୍ଷା କମିଲା ବିଏମ୍‌ସି ବଜେଟ୍

ଗତବର୍ଷ ଅପେକ୍ଷା କମିଲା ବିଏମ୍‌ସି ବଜେଟ୍

ରାଜ୍ୟ ଖବର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ବଜେଟ୍‌ କମିଛି। ଗତ ବର୍ଷ ବିଏମ୍ସି ୭ଶହ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲା। କିନ୍ତୁ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଏମ୍ସି ୬୦୧ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି। ବିଭିନ୍ନ ଉତ୍ସରୁ ୬୪୩ କୋଟି ଟଙ୍କା ଆୟ ଅଟକଳ କରାଯାଇଛି। ବଜେଟ୍କୁ କମିସନର ସଞ୍ଜୟ ସିଂହ ଅନୁମୋଦନ କରିଛନ୍ତି। ନୂଆ ପରିଷଦ ଦାୟିତ୍ବ ଗ୍ରହଣ କରିବା ପରେ ଆସନ୍ତା ସେପ୍ଟେମ୍ବରରେ ସପ୍ଲିମେଣ୍ଟାରି ବଜେଟ୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

ଚଳିତ ବଜେଟ୍ରେ ଡ୍ରେନ୍ ସମ୍ପ୍ରସାରଣ ସହ ବାୟୋମାଇନିଂ ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଇଛି। ସ୍ମାର୍ଟ ଜନପଥ ଭଳି ଆଲୋକୀକରଣ ଓ ପବ୍ଲିକ୍ ପ୍ଲାଜା ଯୋଜନା ରହିଛି। ଏଥିପାଇଁ ଉଭୟ ପାର୍ଶ୍ବରେ ଜମି ଅଧିଗ୍ରହଣ କରାଯିବ। ଏ ବାବଦରେ ବଜେଟ୍ରେ ୫୦ କୋଟିର ବ୍ୟୟ ବରାଦ କରାଯାଇଛି।

ଦାରୁଠେଙ୍ଗ ଭୁଆସୁଣୀ ଠାରେ ଗଦା ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବାୟୋମାଇନିଂ ପ୍ରକଳ୍ପ ହେବାକୁ ଯାଉଛି। ଏଥିପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ପୂର୍ବରୁ ଟେଣ୍ଡର ସରିଥିବା ବେଳେ ଚଳିତ ବଜେଟ୍ରେ ୩୦ କୋଟି ବ୍ୟୟ ବରାଦ କରାଯାଇଛି। ତିନି ବର୍ଷ ଧରି ଚାଲିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩ ବର୍ଷ ପର୍ୟ୍ୟନ୍ତ ପ୍ରତ୍ୟେକ ବଜେଟ୍ରେ ବ୍ୟୟ ବରାଦ ହେବ। ରାଜଧାନୀରେ ଗୁରୁତର ଜଳବନ୍ଦୀ ସମସ୍ୟାକୁ ନେଇ ଏଥର ବଜେଟ୍ରେ ସିଂହଭାଗ ବ୍ୟୟ ବରାଦ ହୋଇଛି। ୧୩ଟି ଡ୍ରେନ୍ ସମ୍ପ୍ରସାରଣ ପାଇଁ ଚଳିତ ବଜେଟ୍ରେ ୪୦ କୋଟି ବ୍ୟୟ ବରାଦ ହୋଇଛି। ଏଥିପାଇଁ ୧୯୦ କୋଟି ଟଙ୍କା ଆବଶ୍ୟକ ହେଉଥିବାରୁ ଆସନ୍ତା ସପ୍ଲିମେଣ୍ଟାରି ବଜେଟ୍ରେ ବାକି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ।

ନ୍ୟାଚୁରାଲ୍ ଡ୍ରେନ୍ ଓ ଓପନ୍ ଡ୍ରେନ୍ ପାଇଁ ୪୫ କୋଟି ବ୍ୟୟବରାଦ କରାଯାଇଛି। ବିଭିନ୍ନ ହାଟ ଓ ମାର୍କେଟ କମ୍ପ୍ଲେକ୍ସ ଉନ୍ନତୀକରଣ ପାଇଁ ୧୬ କୋଟି ୬୯ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏଥିରେ ୟୁନିଟ୍-୧, ୟୁନିଟ୍-୪ ଓ ମାର୍କେଟ୍ ବିଲ୍ଡିଂ ସହ ଅନ୍ୟାନ୍ୟ ମାର୍କେଟ୍ କମ୍ପ୍ଲେକ୍ସ ସ୍ଥାନ ପାଇଛି। ବିଭିନ୍ନ ସ୍ଥାନରେ ନୂଆ ଓ ପୁରୁଣା ଶ୍ମଶାନ ଉନ୍ନତୀକରଣ ପାଇଁ ଏଥର ୩ କୋଟି ୭୭ ଲକ୍ଷ ବ୍ୟୟ ବରାଦ ହୋଇଛି। ଏଥିରେ ଯଦୁପୁରରେ ନୂଆ ଶ୍ମଶାନ ନିର୍ମାଣ ପାଇଁ ଯୋଜନା ରହିଛି।

ସେହିଭଳି କଂକ୍ରିଟ୍ ରୋଡ୍ ପାଇଁ ୫୦ କୋଟି ୧୩ ଲକ୍ଷ, ପୋଖରୀ ଓ ହ୍ରଦ ଉନ୍ନତୀକରଣ ପାଇଁ ୬ କୋଟି ୬୩ ଲକ୍ଷ, ଷ୍ଟ୍ରିଟ୍ ଲାଇଟ୍ ଓ ଲ୍ୟାମ୍ପ ପୋଷ୍ଟ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୩୯ କୋଟି ୯୨ ଲକ୍ଷ, ଏମ୍ସିସି ଓ ଏମ୍ଆରଏଫ୍ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଚାଳନା ପାଇଁ ୧୨ କୋଟି ୨୭ ଲକ୍ଷ, ସଫେଇ ପାଇଁ ୭୫କୋଟି ୮୩ ଲକ୍ଷ ଓ ଗାଡ଼ି କିଣାକିଣି ପାଇଁ ୧୧କୋଟି ୭ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥର ଡିଜିଟାଲ୍ ଡୋର୍ ନମ୍ବରିଂ ବ୍ୟବସ୍ଥାକୁ ବିଏମ୍ସି ଗୁରୁତ୍ବର ସହ ନେଇଛି। ବଜେଟ୍ରେ ଏଥିପାଇଁ ୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଶାସନିକ ଖର୍ଚ୍ଚ ପାଇଁ ୧୦କୋଟି ୬୦ ଲକ୍ଷ, ଦରମା ଓ ପେନ୍ସନ୍ ବାବଦକୁ ୯୦ କୋଟି ୯୬ ଲକ୍ଷ ଖର୍ଚ୍ଚ ଅଟକଳ କରାଯାଇଛି।

ହୋଲ୍ଡିଂ ଟ୍ୟାକ୍ସ ଓ ଅନ୍ୟାନ୍ୟ ରାଜସ୍ବ ବାବଦକୁ ୧୬୧.୪୨ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରହିଥିବା ବେଳେ ସରକାରଙ୍କ ଠାରୁ ୨୭୨ କୋଟି ରେଭେନ୍ୟୁ ଗ୍ରାଣ୍ଟ ମିଳିବାକୁ ରହିଛି। ଦରମା ବାବଦକୁ ସରକାରଙ୍କ ଠାରୁ ୮୨ କୋଟି ୨୯ ଲକ୍ଷ ମିଳିବାକୁ ଥିବା ବେଳେ କଲ୍ୟାଣ ମଣ୍ଡପ ଓ ଅନ୍ୟାନ୍ୟ ଉତ୍ସରୁ ୫କୋଟି ୨୧ ଲକ୍ଷ ଟଙ୍କାର ରାଜସ୍ବ ଆୟ ଲକ୍ଷ୍ୟ ରହିଛି। ରାସ୍ତାଘାଟ ଉନ୍ନତୀକରଣ ବାବଦକୁ ୯୫ କୋଟି କ୍ୟାପିଟାଲ୍ ଗ୍ରାଣ୍ଟ ଆସିବାକୁ ଥିବା ବେଳେ ବିଏମ୍ସିର ଜମା ରହିଥିବା ଟଙ୍କାରୁ ସୁଧ ବାବଦକୁ ୧୦ କୋଟି ଆୟ ହେବାକୁ ଥିବା ବଜେଟ୍ରେ ଦର୍ଶାଯାଇଛି।


Powered by Froala Editor