କାର୍‌ ଡିକିରୁ ନେଇଗଲେ ୨ ଲକ୍ଷ ୪୦ ହଜାର

କାର୍‌ ଡିକିରୁ ନେଇଗଲେ ୨ ଲକ୍ଷ ୪୦ ହଜାର

ରାଜ୍ୟ ଖବର

ଭୁବନେଶ୍ବର: ରାଜଧାନୀର ଆଇନ୍‌ଶୃଙ୍ଖଳା ପୂରା ବିପର୍ୟ୍ୟସ୍ତ। ଦିନ ଦ୍ବିପ୍ରହରରେ ବି ଲୁଟ୍‌ କରିବାକୁ ପଛାଉ ନାହାନ୍ତି ଲୁଟେରା।  ଅପରାହ୍ଣ ପ୍ରାୟ ୨ଟା ୨୦ରେ ବାପୁଜୀନଗରସ୍ଥିତ ଏକ ଟିଭି ସୋ’ରୁମ୍ ସାମ୍ନାରୁ କାର୍ କାଚ ଭାଙ୍ଗି ଡିକିରୁ ପ୍ରାୟ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍ର ଶିକାର ହୋଇଥିବା ବ୍ରହ୍ମପୁରର ରବୀନ୍ଦ୍ର ପାତ୍ର ଏନେଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ କେନ୍ଦ୍ର କରି କ୍ୟାପିଟାଲ୍ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଅଭିଯୋଗକାରୀ ରବୀନ୍ଦ୍ର ପାତ୍ର ଆଜି ସକାଳେ ବ୍ରହ୍ମପୁରରୁ କାର୍ ଯୋଗେ ଭୁବନେଶ୍ବରସ୍ଥିତ ହଂସପାଳକୁ ଆସିଥିଲେ। ସେଠାରେ ସେ ତାଙ୍କ ଝିଅ ଘରକୁ ଯାଇଥିଲେ। ରବୀନ୍ଦ୍ର ଝିଅ ପାଇଁ ଟିଭି ଓ ଫ୍ରିଜ୍ କିଣିବାକୁ ଆସିଥିବାରୁ ଘରୁ ସାଙ୍ଗରେ ପ୍ରାୟ ୪୦ହଜାର ଟଙ୍କା ଆଣିଥିଲେ। ଟିଭି ଓ ଫ୍ରିଜ୍ ପାଇଁ ଅଧିକ ଟଙ୍କା ଦରକାର ହେବାରୁ ସେ ନଖରାସ୍ଥିତ ଏକ ବ୍ୟାଙ୍କ୍ରୁ ୨ଲକ୍ଷ ଟଙ୍କା ଉଠାଇଥିଲେ। ବାପୁଜୀନଗରସ୍ଥିତ ଏକ ସୋ’ରୁମ୍ରୁ ଟିଭି ଓ ଫ୍ରିଜ୍ ଦେଖିଥିଲେ। କାର୍କୁ ସୋ’ରୁମ୍ ସମ୍ମୁଖରେ ପାର୍କିଂ କରିବା ସହ ପାଖରେ ଥିବା ୨ଲକ୍ଷ ୪୦ହଜାର ଟଙ୍କା କାର୍ ଡିକିରେ ରଖିଥିଲେ। ମାତ୍ର ସେ ଆସି ଦେଖିବା ବେଳକୁ କାର୍ କାଚ ଭଙ୍ଗାଯାଇଥିଲା ଏବଂ ଡିକିରେ ରଖିଥିବା ଟଙ୍କା ବ୍ୟାଗ୍ ନଥିଲା।

ଜଣେ ବରିଷ୍ଠ ପୁଲିସ କର୍ମଚାରୀଙ୍କ କହିବାନୁଯାୟୀ, ରବୀନ୍ଦ୍ର ନଖରାସ୍ଥିତ ବ୍ୟାଙ୍କ୍ରୁ ଟଙ୍କା ଉଠାଇବାକୁ ଯିବା ବେଳେ ତାଙ୍କ ଉପରେ ଲୁଟେରା ଗ୍ୟାଙ୍ଗ୍ ନଜର ରଖିଥିଲା। ପରେ ତାଙ୍କୁ ଅନୁସରଣ କରି ବାପୁଜୀନଗରସ୍ଥିତ ସୋ’ରୁମ୍ ପାଖରୁ ଲୁଟ୍ କରିଥିଲା।


Powered by Froala Editor