ନୂଆଦିଲ୍ଲୀ୪: ଭାରତୀୟ ରେଳ ବିଳମ୍ବରେ ଚାଲିବା ନେଇ ଏକ ଅପବାଦ ରହିଛି। ଏଥିରେ ଉନ୍ନତି ଆଣିବାକୁ ଉଦ୍ୟମ ହେଉଛି। ଟ୍ରାକ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ୨୦୦୮ରୁ ୨୦୧୯ ମଧ୍ୟରେ ଅଢ଼େଇ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଖର୍ଚ୍ଚର ଉଦ୍ଦେଶ୍ୟ ଥିଲା ଟ୍ରେନ୍ର ଗତିକୁ ବଢ଼ାଇବା। ସେହି ଲକ୍ଷ୍ୟ ହାସଲରେ ରେଳବାଇ ବିଫଳ ହୋଇଛି ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି। ଟ୍ରେନ୍ଗୁଡ଼ିକର ଗତି ବଢ଼ାଇବା ଲାଗି ରେଳବାଇ ‘ମିସନ ରଫତାର’ ନାମରେ ଏକ ଯୋଜନା ଆଣିଥିଲା। ଏହାର ଲକ୍ଷ୍ୟ ଥିଲା ୨୦୨୧-୨୨ ସୁଦ୍ଧା ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକର ହାରାହାରି ଗତିକୁ ଘଣ୍ଟା ପିଛା ୫୦ କିମି ଓ ମାଲବାହୀ ଟ୍ରେନ୍ ଗତିକୁ ଘଣ୍ଟା ପିଛା ୭୫ କିମିକୁ ବଢ଼ାଇବା। ସେହି ଲକ୍ଷ୍ୟ ହାସଲ କରିବାରେ ରେଳବାଇ ବିଫଳ ହୋଇଛି। ଘଣ୍ଟା ପିଛା ୫୫ କିମି ବେଗରେ ଗତି କରୁଥିବା ଟ୍ରେନ୍ଗୁଡ଼ିକୁ ‘ସୁପରଫାଷ୍ଟ’ କୁହାଯିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି। ଟ୍ରେନ୍ ବିଳମ୍ବକୁ ନେଇ ଅଭିଯୋଗ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି। ୨୦୧୫-୧୬ରେ ଏଭଳି ଅଭିଯୋଗ ସଂଖ୍ୟା ୯,୧୧୨ ଥିଲା। ୨୦୧୮-୧୯ ସୁଦ୍ଧା ତାହା ୩୪୦ ପ୍ରତିଶତ ବୃଦ୍ଧି ପାଇ ୪୦,୦୭୭ରେ ପହଞ୍ଚିଛି। ୫୦ ପ୍ରତିଶତରୁ ଅଧିକ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବିଳମ୍ବରେ ଚାଲୁଛି ବୋଲି ସେ କହିଛନ୍ତି। ଟ୍ରେନ୍ରେ ହେଉଥିବା ବିଳମ୍ବକୁ ନେଇ ଯେଉଁ କାରଣଗୁଡ଼ିକ ଚିହ୍ନଟ କରାଯାଇଛି ସେଥିରୁ ୬୬ %ରୁ ରୋକାଯାଇପାରିବ।
Powered by Froala Editor
