ପାକିସ୍ତାନରେ ଶୁଭିଲା ‘ଚୌକିଦାର ଚୋର ହେ’ ନାରା

ପାକିସ୍ତାନରେ ଶୁଭିଲା ‘ଚୌକିଦାର ଚୋର ହେ’ ନାରା

ଜାତୀୟ ଖବର

ଇସଲାମାବାଦ: ପାକିସ୍ତାନରେ ଦିଆଯାଉଛି ଏହି ସ୍ଳୋଗାନ୍‌, ‘ଚୌକିଦାର ଚୋର ହେ’ ଇମ୍ରାନ୍ ଖାନ୍ଙ୍କ ସମର୍ଥକମାନେ ଏବେ ଏହି ନାରା ଦେଇ ରାଲି କରୁଛନ୍ତି।  ପାକିସ୍ତାନ ତେହରିକ୍-ଏ-ଇନ୍ସାଫର କର୍ମୀମାନେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ବିରୋଧ କରି ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ରବିବାର ଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ସମୟରେ ଏକ ରାଲିରେ ‘ଚୌକିଦାର ଚୋର ହୈ’ ନାରାବାଜି ଶୁଣିବାକୁ ମିଳିଛି। ପାକିସ୍ତାନର ସେନାକୁ ବିରୋଧ କରି ଇମ୍ରାନଙ୍କ ସମର୍ଥକମାନେ ଏଭଳି ନାରାବାଜି କରିଥିବା ଜଣାପଡିଛି।

ପାକିସ୍ତାନର ପଞ୍ଜାବ ପ୍ରଦେଶର ଲାଲ ହାବେଲି ଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଏହି ପ୍ରତିବାଦ ବେଳେ ବିକ୍ଷୋଭକାରୀମାନେ ସେନାକୁ “ଚୌକିଦାର ଚୋର ହୈ” ବୋଲି କହିଥିଲେ। ରବିବାର ରାତି ପ୍ରାୟ ୯ଟା ୩୦ ମିନିଟ୍ରୁ ଏହି ଦେଶର ବିଭିନ୍ନ ଅଞ୍ଚଳରେ ଏଭଳି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି।

ଇସ୍ଲାମାବାଦ, ଲାହୋର, କରାଚି, ପେଶୱାର, ମାଲାକାଣ୍ଡ, ମୁଲତାନ, ଖାନୱାଲ, ଖାଇବର, ୱାଙ୍ଗ, କ୍ୱେଟା, ଓକରା, ଆବଟ୍ଟାବାଦ, ବାଜୌରା, ଲୋୟର ଦିର, ଶାଙ୍ଗଲା, କୋହିସ୍ତାନ, ମନସେହରା, ସ୍ୱାଟ୍, ଗୁଜରାଟ, ଫୈସଲାବାଦ, ନୋଶେରା, ଡେରା ଗାଜୀ ଖାନ୍ ଏବଂ ମାଣ୍ଡି ବାହାଦିନରେ ଇମ୍ରାନ୍ଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିରୋଧ କରିଛନ୍ତି।

ସେପଟେ ଇମ୍ରାନ୍ ଖାନ୍ ରବିବାର ବିଳମ୍ବିତ ରାତିରେ ତାଙ୍କ ସମର୍ଥକରେ ବାହାରିଥିବା ହଜାର ହଜାର ବିକ୍ଷୋଭକାରୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଦେଇଛନ୍ତି। ସମସ୍ତ ପାକିସ୍ତାନୀ ଓ ସମର୍ଥକମାନେ ଆମେରିକାର ଷଡଯନ୍ତ୍ରକୁ ବିରୋଧ କରିଥିବା ଓ ମୋ ସପକ୍ଷରେ ବାହାରିଥିବାରୁ ମୁ ଧନ୍ୟବାଦ ଜଣାଉଛି ବୋଲି ଇମ୍ରାନ୍ ତାଙ୍କ ଟ୍ୱିଟ୍ରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ପାଓ୍ୱାର୍ ଗେମ୍ରେ ଇମ୍ରାନ୍ ଆଉଟ୍ ପରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ରେସ୍। ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଜି ଦିନ ୨ଟା ବେଳେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।  ସେପଟେ ନୂଆ ସରକାର କୌଣସି ପ୍ରତିଶୋଧ ମୂଳକ ରାଜନୀତିରେ ସାମିଲ ହେବ ନାହିଁ ବୋଲି କହିଛନ୍ତି ଶାହବାଜ।


Powered by Froala Editor