ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଲୋକାର୍ପିତ

ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଲୋକାର୍ପିତ

ରାଜ୍ୟ ଖବର

ଭୁବନେଶ୍ୱର: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ସ୍ଥାପିତ ଏହି ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ‘ଆୟୁଷ୍ମାନ’ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଆଜି ପୁରୀରେ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏଠାରେ ପିଲାମାନେ ମେଡ଼ିକାଲ ପାଠ ପଢ଼ିବା ସହ ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ।

ଏହି ଲୋକାର୍ପଣ ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ଯେ, ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କଲେ ଓଡ଼ିଆ ଲୋକମାନେ ତା’ର ଲାଭ ପାଇବେ ଓ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ସେ ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍ ଇଣ୍ଡିଆ ଦ୍ୱାରା ତାଳଚେରରେ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ମେଡିକାଲ କଲେଜ ସ୍ଥାପନ ହୋଇଛି । ସୁନ୍ଦରଗଡ଼ରେ ବି ମେଡିକାଲ କଲେଜ ରାଷ୍ଟ୍ରାୟତ୍ତ ସଂସ୍ଥା ଏନଟିପିସି ଦ୍ୱାରା ସ୍ଥାପିତ ହୋଇଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ମୋଟ ୧୦୦ଟି ଏମବିବିଏସ୍ ସିଟ୍ ରହିଛି । ଏହି ମେଡିକାଲ କଲେଜକୁ ମିଶାଇଲେ ରାଜ୍ୟରେ ମୋଟ ୮ଟି ସରକାରୀ ମେଡିକାଲ କଲେଜର ମୋଟ ଏମବିବିଏସ୍ ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି ।

ଏହି କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ,ମନ୍ତ୍ରୀ ସମୀର ଦାଶ,ତୁଷାରକାନ୍ତି ବେହେରା, ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସ୍ଥାନୀୟ ସାଂସଦ ପିନାକୀ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Powered by Froala Editor