ନୂଆଦିଲ୍ଲୀ: ନୀତି ଆୟୋଗ ଉପାଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଏପରି ନିଷ୍ପତ୍ତି ପରେ ସରକାର ସୁମନ କେ ବେରୀଙ୍କୁ ନିତି ଆୟୋଗ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି। ସେ ମେ’ ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ରାଜୀବ କୁମାର ପଦ ଛାଡ଼ିଥିଲେ ମଧ୍ୟ ଏପ୍ରିଲ ୩୦ ଯାଏ କାର୍ୟ୍ୟ କରିବେ। ଏହାପରେ ହିଁ ବେରୀଙ୍କ କାର୍ୟ୍ୟକାଳ ଆରମ୍ଭ ହେବ।
ଜଣେ ବିଖ୍ୟାତ ଅର୍ଥନୀତିଜ୍ଞ ଭାବେ ଜଣାଶୁଣା ରାଜୀବ କୁମାର ୨୦୧୭ରେ ନୀତି ଆୟୋଗର ଉପାଧ୍ୟକ୍ଷ ପଦରେ ନିଯୁକ୍ତି ପାଇଥିଲେ। ତାଙ୍କ ପୂର୍ବରୁ ଏହି ପଦରେ ଅରବିନ୍ଦ ପାନଗାରିୟା ରହିଥିଲେ। ସେ ପଦ ଛାଡ଼ି ଅଧ୍ୟାପନା କ୍ଷେତ୍ରକୁ ଚାଲିଥିବାରୁ ସରକାର ରାଜୀବ କୁମାରଙ୍କୁ ନିଯୁକ୍ତି ଦେଇଥିଲେ।
ରାଜୀବ କୁମାର କାହିଁକି ପଦ ଛାଡ଼ିଲେ ସେକଥା ଜଣାପଡ଼ିନି। କିନ୍ତୁ ସରକାର ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ନେଇଛନ୍ତି ଓ ଏପ୍ରିଲ ୩୦ରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯିବ। ରାଜୀବ କୁମାର ତାଙ୍କ କାର୍ୟ୍ୟକାଳ ସମୟରେ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଶେଷ କରି କୃଷି କ୍ଷେତ୍ର ପାଇଁ ସେ ନୂଆ ନୀତି ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେଇଥିଲେ। କୁମାର ଅର୍ଥନୀତିରେ ଡିଫିଲ୍ ଡିଗ୍ରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ହାସଲ କରିଛନ୍ତି। ସେହିପରି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍ଡି ଡିଗ୍ରୀ ହାସଲ କରିଥିଲେ।
Powered by Froala Editor
