ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ରାଜ୍ୟ ଖବର

ଭୁବନେଶ୍ୱର : ରାଜ୍ୟ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ। ଖରା ପାଇଁ ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ୟ୍ୟନ୍ତ  ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ ବୋଲି ଆଜି ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ଏପ୍ରିଲ ୩୦ ଯାଏଁ ସ୍କୁଲ ଛୁଟି ରହିଛି। ୩୦ ପରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସହ ଦେଖି ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ ,ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ୫ଦିନ ପର୍ୟ୍ୟନ୍ତ ଛୁଟି ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଉଭୟ ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ସମସ୍ତ ସ୍କୁଲ ଛୁଟି ସତ୍ତ୍ବେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲୁ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ  କରିଥିଲେ।

ଅନ୍ୟପକ୍ଷରେ ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏଥିପାଇଁ କାଲି ପର୍ୟ୍ୟନ୍ତ ୧୧ ଜିଲ୍ଲା ଏବଂ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ୮ ଜିଲ୍ଲାକୁ ହିଟଓ୍ବେଭ୍ ଜାରି କରାଯାଇଛି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୩ ତାରିଖ ପର୍ୟ୍ୟନ୍ତ ହିଟଓ୍ବେଭ୍ ପ୍ରଭାବ ରହିବ । ଗ୍ରୀଷ୍ମ ପ୍ରବାହ ସମୟରେ ଖରାରୁ ଦୂରେଇ ରହିବା ପାଇଁ ଲୋକକଙ୍କୁ ସଚେତନ କରିବାକୁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ଆସନ୍ତା ୨୯ରୁ ୨ ତାରିଖ ଭିତରେ ଉପକୂଳରେ ସ୍ଥାନେ ସ୍ଥାନେ କାଳବୈଶାଖୀ ହେବ । ବିଶେଷ କରି କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ଅଛି । ୨ରୁ ୭ ତାରିଖ ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ଅପେକ୍ଷାକୃତ ଅଧିକ କାଳବୈଶାଖୀ ସମ୍ଭାବନା ଅଛି । ସାରା ରାଜ୍ୟରେ ୪ରୁ ୬ ତାରିଖ ଭିତରେ କାଳବୈଶାଖୀ ବିସ୍ତୃତ ଅଞ୍ଚଳରେ ହୋଇପାରେ ।

Powered by Froala Editor