ଚଣ୍ଡିଗଡ଼: ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଗୁରୁତର ହେବାରେ ଲାଗିଛି। ରାଜ୍ୟ ପୁଲିସ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ହିଂସାକୁ ରୋକିବାରେ ବିଫଳ ହୋଇଥିବାରୁ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି ପଞ୍ଜାବ ସରକାର। ପୁଲିସ ଇନ୍ସପେକ୍ଟର ଜେନେରାଲ(ପଟିଆଲା), ବରିଷ୍ଠ ପୁଲିସ ସୁପରିଟେଣ୍ଡେଣ୍ଟ ଏବଂ ପଟିଆଲା ଏସିପଙ୍କୁ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ହିଂସାକୁ ରୋକିବାରେ ବିଫଳ ହୋଇଥିବା ପୁଲିସର କାର୍ୟ୍ୟଦକ୍ଷତାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ପଟିଆଲାରେ ମୋବାଇଲ ଇଣ୍ଟରନେଟ୍, ଏସଏମଏସ ସର୍ଭିସ ବନ୍ଦ କରାଯାଇଛି। ଆଜି ସକାଳ ୯ଟା ୩୦ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ସେବା ବନ୍ଦ କରାଯାଇଛି। କେବଳ ଭଏସ କଲକୁ ଅନୁମତି ମିଳିଛି। ହିଂସାକୁ ନେଇ ଗୁଜବ ବ୍ୟାପିବା ଆଶଙ୍କା ଥିବାରୁ ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣା ଥିବା ପୁଲିସ କହିଛି । ସାମୟିକ ଭାବେ ମୋବାଇଲ ଇଣ୍ଟରନେଟକୁ ବନ୍ଦ କରାଯାଛି। ଗତକାଲିର ଘଟଣାକୁ ନେଇ ୩ଟି ମାମଲା ରୁଜୁ କରାଯାଇଛି।
ହିଂସା ବେଳେ ମିଳିଥିବା ଭିଡିଓରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ଗତକାଲି ସକାଳେ ଶିବସେନା ପକ୍ଷରୁ ପିଟିଆଲାରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହାକୁ ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ପଟିଆଲାର କାଳୀ ମାତା ମନ୍ଦିର ନିକଟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ।
Powered by Froala Editor
