ଭୁୁବନେଶ୍ୱର: ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା । ଦିଗ ବଦଳାଇ ଉତ୍ତର ପୂର୍ବ ଅର୍ଥାତ୍ ବାଂଲାଦେଶ ମୁହାଁ ବି ହୋଇପାରେ । ବିଶେଷ ପବନ ଆଶଙ୍କା ନାହିଁ । କିନ୍ତୁ ଉପକୂଳରେ ଭଲ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏମିତି ପୂର୍ବାନୁମାନ ମିଳିଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହୁଛି ୧୦ ତାରିଖ ସକାଳେ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । କିନ୍ତୁ ସେଠାରୁ କୁଆଡ଼େ ଯିବ, ଓଡ଼ିଶା, ଆନ୍ଧ୍ର କି ଆଉ କୁଆଡ଼େ ସେ ସଂପର୍କରେ କୌଣସି ପୂର୍ବାନୁମାନ ଦିଆଯାଇ ନାହିଁ । କିନ୍ତୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ଭାରୀ ବର୍ଷା ସମ୍ଭାବନା ରହିଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ଉପକୂଳ ଛୁଇଁବା ଆଗରୁ ଦୁର୍ବଳ ହେଇଯିବ । ୯ ତାରିଖରେ ଲଘୁଚାପ ଗଭୀର ଅବପାତ ହେବ । କିନ୍ତୁ ଏହା ଆଉ ଅଧିକ ଘନୀଭୂତ ହେବନି । ପ୍ରତିକୂଳ ପାଗ ଏହାକୁ ଅଧିକ ଘନୀଭୂତ ହେବାରେ ବାଧା ଦେବ । ଏହା ଯଦିଓ ବାତ୍ୟା ରୂପ ନେବ କିନ୍ତୁ ଆଦୌ ପ୍ରଭାବୀ ହେବନି । ସର୍ବାଧିକ ପବନର ବେଗ ୬୫ କିଲୋମିଟର ଭିତରେ ରହିବ । ତା ପରେ ଦୁର୍ବଳ ହେବ । ଉପକୂଳ ଛୁଇଁବା ବେଳେ ବାତ୍ୟା ଅବପାତକୁ ଖସିଆସିବ । ୧୦ରେ ଏହା ଓଡ଼ିଶା ଉପକୂଳ ଛୁଇଁପାରେ । ପୁରୀରୁ ପାରାଦୀପ ଭିତରେ ଓଡିଶା ଛୁଇଁ ପାରେ କିମ୍ବା ବାଂଲାଦେଶ ମୁହାଁ ହୋଇପାରେ ।
ଆଇଏମ୍ଡି ଅନୁସାରେ ଶନିବାର ସନ୍ଧ୍ୟାରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ହେବ । ୮ ତାରିଖ ସନ୍ଧ୍ୟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ହେବ । ୧୦ରେ ବାତ୍ୟା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ଆଇଏମ୍ଡି ବାତ୍ୟାର ଗତିପଥ ସମ୍ପର୍କରେ ଯେଉଁ ମାନଚିତ୍ର ଜାରି କରିଛି ସେଥିରେ ୧୦ ତାରିଖ ସକାଳ ସାଢେ ୫ଟା ବେଳକୁ ବାତ୍ୟା ୧୭.୬ ଦ୍ରାଘିମା ଓ ୮୪.୯ ଅକ୍ଷାଂଶ ପାଖରେ ଥିବ । ଏହା ନିର୍ଦ୍ଦିଷ୍ଟ ଭାବେ ବିଶାଖପାଟଣାଠାରୁ ୧୭୦ କିମି ପୂର୍ବରେ ସମୁଦ୍ର ଭିତରେ ଥିବ । ସେବେ ପବନର ବେଗ ଘଣ୍ଟା ପ୍ରତି ୮୩ କିଲୋମିଟର ରହିବ ।
ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ । ଏବେ ଏସ୍ଆରସି ଅଫିସ୍ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲୁଛି । ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲି ଆମ ସହ ଯୋଗାଯୋଗରେ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ହୋଇସାରିଛୁ । ଶନିବାର ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯିବ । ଏହାର ରକ୍ଷଣାବେକ୍ଷଣ ତାଲିକା ଜିଲ୍ଲାପାଳଙ୍କୁ ମଗାସରିଛି । ୧୭ ଏନଡିଆରଏଫ୍ ଟିମ୍ ଓ ୨୦ ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯିବ । ୧୭୫ ଅଗ୍ନିଶମ ଟିମ୍କୁ ନିୟୋଜିତ କରିବାକୁ ଯୋଜନା ଅଛି। ଶନିବାର ସନ୍ଧ୍ୟାରେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବା ପରେ ସେମାନଙ୍କୁ ନିୟୋଜିତ କରାଯିିବ ।
Powered by Froala Editor
