କୋଇଲା ଚୋରି ମାମଲାରେ ମମତାଙ୍କ ପୁତୁରା ବୋହୂ ନାଁରେ ‌ୱାରେଣ୍ଟ୍

କୋଇଲା ଚୋରି ମାମଲାରେ ମମତାଙ୍କ ପୁତୁରା ବୋହୂ ନାଁରେ ‌ୱାରେଣ୍ଟ୍

ଜାତୀୟ ଖବର

କୋଲାକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ବୋହୂ ରୁଜିରାଙ୍କ ନାଁରେ ଜାରି ହୋଇଛି ୱାରେଣ୍ଟ। ମମତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ହେଉଛନ୍ତି ରୁଜିରା। ତାଙ୍କୁ କୋଇଲା ସ୍ମଗଲିଂ ମାମଲାରେ ଇଡି ଜେରା ପାଇଁ ନୋଟିସ କରିଥିଲେ ହେଁ ସେ ଏହାକୁ ବେଖାତିର କରି ଚାଲିଥିଲେ। ଏଥିପାଇଁ ତାଙ୍କ ନାଁରେ ଆଜି ଜାମିନ ଯୁକ୍ତ ୱାରେଣ୍ଟ ଜାରି କରାଯାଇଛି।

ଏହି ଘଟଣାରେ ଇଡି ଦୁଇଥର ଅଭିଷେକ ବାନାର୍ଜୀଙ୍କୁ ଜେରା କରି ସାରିଛି। ହେଲେ ରୁଜିରା ଥରେ ହେଲେ ବି ଏଯାଏ ଇଡି ଆଗରେ ହାଜର ହୋଇନାହାନ୍ତି। ଇଡି ପକ୍ଷରୁ ଅଭିଷେକ ବାନାର୍ଜୀ ଓ ରୁଜିରାଙ୍କୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଯଥାକ୍ରମେ ମାର୍ଚ୍ଚ ୨୨ ଓ ୨୩ରେ ହାଜର ହେବାକୁ ନୋଟିସ କରାଯାଇଥିଲା।

ଏହା ବିରୋଧରେ ଉଭୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ପ୍ରକାରର ଫଳ ମିଳି ନଥିଲା। ଏଥିସହ ଉଭୟ ଦିଲ୍ଲୀ ନୁହେଁ ବରଂ କୋଲକାତାରେ ଇଡି ଜେରାର ସମ୍ମୁଖୀନ ହେବାକୁ ଚାହୁଁଥିଲେ। କିନ୍ତୁ କୋର୍ଟ ଏଥିରେ ରାଜି ହୋଇ ନଥିଲେ।

କୋର୍ଟ ଝଟକା ପରେ ମାର୍ଚ୍ଚ ମାସରେ ଅଭିଷେକ ବାନାର୍ଜୀ ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଅଧିକାରୀମାନେ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲେ। ହେଲେ ରୁଜିରା ସମନ ଅନୁସାରେ ହାଜର ହୋଇ ନଥିଲେ। ଏପରି କି ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଇଡି ପଠାଇଥିବା ସମନକୁ ସେ କରୋନା ଆଳରେ ବେଖାତିର କରିଥିଲେ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା।  ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା। ଉକ୍ତ ଘଟଣାରେ ଶୀଥିଳତା ପଡ଼ିଥିବା ବେଳେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।


Powered by Froala Editor