କୁଚିଣ୍ଡା: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା। ଜଣେ ବ୍ୟକ୍ତିଙ୍କ ଜବତ ଗାଡ଼ି ଉପରେ ପଡ଼ିଥିବା ଜୋରିମାନା ଅର୍ଥକୁ କମ କରିବା ଶନିବାର ସନ୍ଧ୍ୟାରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସର ଏକ ଆଠ ଜଣିଆ ଟିମ୍ ତାଙ୍କୁ ଧରିଛନ୍ତି। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହା ପରେ ଅତିରିକ୍ତ ତହସିଲଦାରଙ୍କ କୁଚିଣ୍ଡା ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରେ ଚଢ଼ାଉ ବେଳେ ୩ ଲକ୍ଷ ୩ ହଜାର ୬୧୦ ଟଙ୍କା ଜବତ କରାଯାଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ ଅତିରିକ୍ତ ତହସିଲଦାର ସାରଦା ମହାରଣା କହିଛନ୍ତି ଯେ ତାଙ୍କ ଉପରେ ରାଗ ରଖି ଏପରି କରାଯାଇଛି। ସେ ବାରମ୍ବାର ଏ ଅଞ୍ଚଳରେ ଚଢ଼ାଉ କରୁଥିବା ଯୋଗୁ ଷଡ଼ଯନ୍ତ୍ର କରି ତାଙ୍କୁ ଭିଜିଲାନ୍ସ ଜାଲରେ ଫସାଇ ଦିଆଯାଇଛି।
Powered by Froala Editor
