ସକାଳେ ଆନ୍ଧ୍ର ଛୁଇଁବ, ପୁଣି ଯିବ ସମୁଦ୍ର

ସକାଳେ ଆନ୍ଧ୍ର ଛୁଇଁବ, ପୁଣି ଯିବ ସମୁଦ୍ର

ରାଜ୍ୟ ଖବର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଏବେ ଉପକୂଳ ଆଡ଼େ ମୁହାଁଇଛି ।ଆଜି ସକାଳବେଳା ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ନିକଟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।  ଉପକୂଳ ଛୁଇଁବା ପରେ ପୁଣିଥରେ ଗତିପଥ ବଦଳାଇ ଉତ୍ତର ଉତ୍ତର ପୂର୍ବ ଦିଗରେ ସମୁଦ୍ରକୁ ଯିବ ।

ଏହି ବାତ୍ୟା  ଓଡ଼ିଶା ଉପକୂଳ ଛୁଇଁବ ନାହିଁ,  ଦୁରେଇ ସମୁଦ୍ରରେ ଯିବ ବୋଲି ବୋଲି ଅନୁମାନ କରାଯାଉଛି। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। ଆଜି ପୁରୀ, ଗଞ୍ଜାମ, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।
ବାତ୍ୟା ଆଶଙ୍କାରେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲାରେ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଥିବାବେଳେ କେରାପୁଟରେ ୬ଟି ଓଡ୍ରାଫ ଟିମ୍‌, ମାଲକାନଗିରିରେ ୨ଟି, ଗଜପତି ଓ ରାୟଗଡ଼ାରେ ୩ଟି ଲେଖାଏଁ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଅଗ୍ନିଶମ ବାହିନୀ ଟିମକୁ ପଠାଯାଇଛି।

ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ଲୋଭରେ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଉଥିବାରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି । ଆସନ୍ତା ୩ ଦିନ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ କେହି ଯେପରି ନଯିବେ ସେଥିପାଇଁ ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । ସମୁଦ୍ର ଭିତରକୁ ଯାଉଥିବା ଲୋକଙ୍କ ବିରୁଦ୍ଧରେ ବିପର୍ୟ୍ୟୟ ପ୍ରଶମନ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

Powered by Froala Editor