ରାଜକନିକା: ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଅଭାବନୀୟ ଘଟଣା ସାରା ଅଞ୍ଚଳବାସୀଙ୍କୁ ମର୍ମାହତ କରିଦେଇଛି । ସମ୍ପତି ଲୋଭରେ ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ଜଣକ ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଅଭିଯୁକ୍ତ ଦୁହେଁ ମୃତକ ମହିଳାଙ୍କ ପୁଅ ଓ ଜ୍ୱାଇଁ ବୋଲି ଜଣାପଡ଼ିଛି । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।
ପୁଲିସ ଠାରୁ ମିଳିଥିବା ଖବର ମୁତାବକ, ସୁଦାମଙ୍କ ନାମରେ ମୁମ୍ବାଇରେ ଏକ ପ୍ଲଟ ଥିବାରୁ ପୁଅ ଏବଂ ଅନ୍ୟ ସମ୍ପର୍କୀୟମାନେ ଏହାକୁ ବିକ୍ରି କରିବାକୁ ଜିଦ୍ ଧରିଥିଲେ । ମାତ୍ର ଦୌପଦି ଏହା କରାଇଦେଇ ନଥିଲେ । ଫଳରେ ନିଜ ମା’ଦୌପଦୀଙ୍କୁ ରାସ୍ତାରୁ ହଟାଇ ଦେଇ ପ୍ଲଟକୁ ବିକ୍ରି କରିବାକୁ ଚାହୁଁଥିôବା ପୁଅ ସଞ୍ଜିବ ବାରିକ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁଜୁରାଟରେ ରହୁଥିବା ସଞ୍ଜିବ ବାରିକ ହଠାତ ୪ଦିନ ପୂର୍ବରୁ ରାତିରେ ଗାଁରେ ଆସି ପହଞ୍ଚିଥିଲା । ସେ ଏହି ପ୍ଲଟ ବିକ୍ରିକୁ ନେଇ ମା’ ସହ ଗଣ୍ଡଗୋଳ କରିଥିଲେ । ପରେ ମରଣାନ୍ତକ ଆକ୍ରମଣ କରି ପୁଣିସେହି ରାତିରେ କୁଆଡେ଼ ପଳାଇ ଯାଇଥିଲା । ଏଣେ ପଡେ଼ାଶୀଙ୍କୁ ଫୋନ କରି ମାଆ କାହିଁକି ଫୋନ ଧରୁନି ବୋଲି ପଚାରିଥିଲେ । ତେବେ ମା’ ପ୍ରାଣ ହରାଇଥିବା କଥା ପଡେ଼ାଶୀଙ୍କଠାରୁ ଶୁଣି ଗାଁକୁ ଆସି ଶବ ସତ୍କାର କରି ଫେରିଯାଇଥିଲା । ତେବେ ଏଭଳି ଘଟଣା ସମ୍ପର୍କରେ ଧୁଷୁରୀ ଅଞ୍ଚଳର ମୃତା ଦୌପଦୀଙ୍କ ଭାଇ ତଥା ସଞ୍ଜିବର ମାମୁ ଧୁଷୁରୀ ଥାନାରେ ଅଭିଯୋଗ କରିବା ପରେ ସେଠାକାର ପୁଲିସ ରାଜକନିକା ଥାନାକୁ ଏ ସମ୍ପର୍କରେ ଜଣାଇଥିଲେ । ରାଜକନିକା ପୁଲିସ ଆଜି ଏଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦ୍ରୋପଦୀଙ୍କ ସମ୍ପର୍କୀୟ ଜ୍ୱାଇଁକୁ ଅଟକ ରଖିବା ସହ ସନ୍ଧ୍ୟାରେ କନପୁର ଯାଇ ଅଭିଯୁକ୍ତ ପୁଅ ସଞ୍ଜିବକୁ ଧରି ଆଣିଛି ।
ଏନେଇ ରାଜକନିକା ଥାନା ଆଇଆଇସି ବିଲ୍ୱମଙ୍ଗଳ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ୨-୩ଦିନ ମଧ୍ୟରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ଓ ଜ୍ୱାଇଁଙ୍କୁ ଜେରା କରାଯାଉଛି । ଖୁବ୍ ଶୀଘ୍ର ଘଟଣାର ପ୍ରକୃତ ରହସ୍ୟ ଉପରୁ ପରଦା ହଟିବ ।
Powered by Froala Editor
